(ଓମପ୍ରକାଶ ମିଶ୍ର/ସୋନପୁର):ମଙ୍ଗଳବାର କେବଳ ପୁରୀକୁ ବାଦ୍ ଦେଲେ ଓଡ଼ିଶା ତଥା ଦେଶର ଅନ୍ୟ ସମସ୍ତ ସ୍ଥାନରେ କରୋନା ପାଇଁ ଚଳିତବର୍ଷଜ ରଥଯାତ୍ରା ପାଳନକୁ ବନ୍ଦ କରାଯାଇଛି । ଏପରି ସ୍ଥିତିରେ ହାତ ଗଣତି ଭକ୍ତଙ୍କ ଉପସ୍ଥିତିରେ ସୋନପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ଦଧିବାବନ ମନ୍ଦିରରେ ସକାଳୁ ତିନି ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ସୋନପୁର ସହରରେ ତିନୋଟି ରଥ ଓ ଦଧିବାବନଙ୍କର ରଥ ତିଆରି ହୋଇଥିଲେ ମଧ୍ୟ ମହାମାରୀ କରୋନା କଟକଣା ଯୋଗୁଁ ରଥ ଗଡିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା। ଏଣୁ ଏବର୍ଷ ରଥଯାତ୍ରା ସମ୍ଭବ ହୋଇପାରୁ ନ ଥିବାରୁ ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କର ସବୁ ନୀତିକାନ୍ତି ପାଳିତ ହେଉଛି ବୋଲି ମନ୍ଦିର ପୂଜକ କହିଛନ୍ତି। ରଥ ଯାତ୍ରା ବନ୍ଦ ହୋଇଥିବାରୁ ଠାକୁର ଗୁଣ୍ଡିଚା ମନ୍ଦିର ଘରକୁ ଯାଇପାରିବେ ନାହିଁ । ଜିଲ୍ଲା ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ୯ ଦିନ ବ୍ୟାପୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
