ଓଡିଶା

ଲୁଣାରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ମହାଭାରତ, ନିଶ୍ଚିନ୍ତକୋଇଲ: ବୁଧବାର ସକାଳେ ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ଦାମୋଦରପୁର ଗ୍ରାମର ଜଣେ ବୃଦ୍ଧ ନଦୀରେ ସ୍ନାନ କରୁଥିଲା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିବା ଘଟଣାଟି ସାଧାରଣରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୁହୁଡ଼ି ପଡ଼ି ରହିଥିଲା । ସକାଳ ପ୍ରାୟ ସାଢେ ୭ଟା ବେଳେ ଦାମୋଦରପୁର ଗ୍ରାମର ଦଳିତ ଗୌରଚନ୍ଦ୍ର ସେଠୀ (୬୫) ଲୁଣା ନଦୀ ଘାଟକୁ ସ୍ନାନ କରିବା ନିମନ୍ତେ ଯାଇଥିଲେ । ନଦୀରେ ସ୍ନାନ କରୁଥିଲା ବେଳେ ଗୌରଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ଗୌର ପାଣିରେ ବୁଡ଼ି ଯାଇଥିଲେ । ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରି ବିଫଳ ହୋଇଥିଲେ । ଲୋକେ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀର ବିଭିନ୍ନ ସ୍ଥାନରେ ତାଙ୍କୁ ତନ ତନ କରି ଖୋଜିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ତେବେ ଅପରାହ୍ନ ୪ଟା ବେଳେ ସ୍ଥାନୀୟ କୋଇଲିରଙ୍ଗୀ ନିକଟରେ ଲୋକେ ମାଛ ଧରିବା ନିମନ୍ତେ ପକାଇଥିବା ଜାଲରେ ଗୌରଙ୍କ ଶବ ଲାଗିଥିଲା । ଲୋକେ ତାଙ୍କର ଶବକୁ ଉଦ୍ଧାର କରି ନେମାଳ ଥାନା ପୋଲିସକୁ ଖବର ଦେଇଥିଲେ । ନେମାଳ ଥାନା ପୋଲିସ ଗୌରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ପଠାଇଛନ୍ତି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୌରଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Related posts

୧୫ ଯାଏ ରାଜ୍ୟରେ ବର୍ଷା ଜାରି; ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

mahabharatanews

ଦିଲ୍ଲୀରେ ଝଲସୁଛି ଓଡିଶା ନୌବାଣିଜ୍ୟ ପରମ୍ପରା

mahabharatanews

ବାପା ପୁଅ ସମ୍ପର୍କକୁ ନେଇ ସୁରଙ୍କ କଣ୍ଠରେ ଗୀତ

mahabharatanews