(ଜୟନ୍ତ କୁମାର ସେଠୀ / ଗୋପ) ; କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ସପ୍ତାହ କୁ ମାତ୍ର ୫ ଦିନ ସର୍ବସାଧାରଣ ଦର୍ଶନ ମିଳୁଥିବା ବେଳେ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଛି । ସବୁ ଦିନ ସର୍ବସାଧାରଣ ଦର୍ଶନ ନିମନ୍ତେ ଆସନ୍ତା ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସରେ ବସିବାକୁ ଥିବା ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଏସଓପି ନେଇ ଆଲୋଚନା କରାଯିବ । ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ, ଭକ୍ତ ମାନେ ଭୋଗ ନଡ଼ିଆ ନେବା ଉପରେ ଥିବା କଟକଣା କୋହଳ ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଆସନ୍ତା ୮ ତାରିଖ ଦିନ ୧୨ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦୁଇ ଡୋଜ ଟୀକା ସାର୍ଟିଫିକେଟ ଓ ଆରଟିପିସିଆର୍ ନେଗେଟିଭ ରିପୋର୍ଟକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯିବ । ଏବେ କୋଭିଡ ସଂକ୍ରମଣ ମାମଲା କମିଥିବା ହେତୁ ସପ୍ତାହ ର ସାତଦିନ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ନେଇ ଭକ୍ତ ଓ ସେବାୟତ ମହଲରେ ଦାବି କରାଯାଉଛି।
