ଓଡିଶା

ସାମ୍ବାଦିକଙ୍କ ବଟି ଆଦାୟ ପଛର କାରଣ?

ଭୁବନେଶ୍ୱର/ଶିଳାସ୍ମିତା ରାୟ: କିଛି ଦିନ ତଳେ  ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ବଟି ମାଗି ୩ ଜଣ ଗିରଫ ହେଲେ । କିନ୍ତୁ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଏହି ତିନି ଜଣ କୌଣସି ଗୁଣ୍ଡା ଶ୍ରେଣୀୟ ଲୋକ ନ ଥିଲେ । ସମସ୍ତେ ସାମ୍ବାଦିକ । ଦୁଇ ଜଣ ବଡ ବଡ ନାମକରା ଗଣମାଧ୍ୟମର ସାମ୍ବାଦିକ ହୋଇଥିବା ବେଳେ ଅନ୍ୟ ଜଣକ ଏକ ନୂଆ ଚ୍ୟାନେଲର ସାମ୍ବାଦିକ । ବାରମ୍ବାର ସାମ୍ବାଦିକଙ୍କ ବଟି ଆଦାୟ ପରି ଘଟଣାକୁ ନେଇ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି । ଏପରି କିଛି ଲୋକଙ୍କ ପାଇଁ ସବୁ ଗଣମାଧ୍ୟମ ନିନ୍ଦିତ । ଏମିତି କିଛି ସାମ୍ବାଦିକଙ୍କ ପାଇଁ ପୂରା ସାମ୍ବାଦିକ ଗୋଷ୍ଠୀ ଲଜ୍ଜିତ ହେଉଛନ୍ତି । ତେବେ ଏପରି ହେବା ପଛର କାରଣ କଣ? କାହିଁ ଏପରି ହେଉଛି ଓ ଏହାକୁ ପ୍ରୋତ୍ସାହନ ଦେବାରେ ଗଣମାଧ୍ୟମ ସଂସ୍ଥା ଓ ତାର ମୁଖ୍ୟ ତଥା ମାଲିକଙ୍କର କିଛି ଭୂମିକା ରହୁ ନାହିଁ ତ? ବର୍ତ୍ତମାନ ସମୟ ଆସିଛି ଏସବୁ ଉପରେ ତର୍ଜମା କରିବାର । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ନ ତତ୍ୱକୁ ଦୂର କରିବାର ଆବଶ୍ୟକତା ବର୍ତ୍ତମାନ ଜରୁରୀ ହୋଇ ପଡିଛି ।

ଏଥିରେ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ସରକାରୀ କଳ ପର୍ଯ୍ୟନ୍ତ ସମସ୍ତେ ଭାଗିଦାର ପରି ମନେ ହେଉଛି । ସାଧାରଣତଃ ସତ୍ୟ ଉପସ୍ଥାପନ କରିବାକୁ ଯାଇ ସରକାରୀ କଳର ଦୋଷ ଦୁର୍ବଳତା ପଦାକୁ ଆସେ । ଫଳରେ ଉକ୍ତ ସାମ୍ବାଦିକଙ୍କ ଉପରେ ଅନେକଙ୍କ ନଜର ଥାଏ । ତେଣୁ ସେହି ସାମ୍ବାଦିକଙ୍କୁ କିଣିବାକୁ ଚେଷ୍ଟା କରାଯାଏ । ଅନେକ ସମୟରେ ସରକାରୀ କଳ, ଦୁର୍ନୀତିଖୋର ନିଜ ସପକ୍ଷରେ ଖବର ପ୍ରସାରଣ ପାଇଁ ମଧ୍ୟ ସାମ୍ବାଦିକଙ୍କୁ ଲାଞ୍ଚ ଦେଇଥାନ୍ତି । ଏଇଥିରୁ ଆରମ୍ଭ ହୁଏ ସାମ୍ବାଦିକତା କ୍ଷେତ୍ରରେ ଦିଆ ନିଆର କାରବାର ।

କିଛି ବଡ ବଡିଆ ସାମ୍ବାଦିକଙ୍କୁ ମାଲେମାଲେ ହେବାର ଦେଖି ତଳତଳିଆ ସାମ୍ବାଦିକ ମଧ୍ୟ ମାରି ପିଟି ଖାଇବା ଫର୍ମୁଲା ଆପଣେଇ ନେଉଛନ୍ତି । ଆଉ କିଛି ଦଲାଲ ମଧ୍ୟ ସାମ୍ବାଦିକତାକୁ ଅର୍ଥ ଉପାର୍ଜନର ଏକ ସହଜ ବାଟ ଭାବେ ଆପଣେଇ ନେଉଛନ୍ତି । ଦୁର୍ନୀତିଖୋରଙ୍କ ବିରୋଧରେ ଲେଖି ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିବା ସହ ସେମାନଙ୍କଠାରୁ ଅର୍ଥ ହଡପ କରନ୍ତି । ଯେମିତି କିଛି ଦିନ ତଳେ ଗଞ୍ଜାମରୁ ୩ ଜଣ ସାମ୍ବାଦିକ ବଟି ଆଦାୟ କରିବାକୁ ଯାଇ ଧରାପଡିଛନ୍ତି ।

ସାମ୍ବାଦିକତା କ୍ଷେତ୍ର ସହ ଆର୍ଥିକ ଅନଟନ ଲାଗିରହିଛି । ତେଣୁ ଅନେକ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେଇ ନ ଥାନ୍ତି । ଗୋଟିଏ ପଟେ ସାମ୍ବାଦିକ ହେବାର ନିଶା, ଅନ୍ୟପଟେ ପରିବାର ପ୍ରତିପୋଷଣର ଭାର । ତେଣୁ କିଛି ସାମ୍ବାଦିକ ପରିବାର ପ୍ରତିପୋଷଣ ପାଇଁ ଦୁର୍ନୀତିଖୋରଙ୍କୁ ନିଜ ରୋଜଗାରର ସାଧନ ଭାବନ୍ତି । ଦୂର୍ନୀତିଖୋର ମଧ୍ୟ ସେହିସବୁ ସାମ୍ବାଦିକଙ୍କୁ ଅଳ୍ପ କିଛି ଅର୍ଥ ଦେଇ ଖୁସି ହେବା ସହ ସାମ୍ବାଦିକଙ୍କ ପରିବାର ମଧ୍ୟ ସୁରୁଖୁରୁରେ ଚଳେ । ଫଳରେ ସାମ୍ବାଦିକତା କଳୁଷିତ ହେଉଛି । ଏହି କ୍ଷେତ୍ରରେ ସାମ୍ବାଦିକ ନିଜ ନୀତି ଆଦର୍ଶରୁ ଓହରିବା କାରଣ ଦାରିଦ୍ର୍ୟ ବୋଲି କୁହାଯାଇ ପାରିବ ।

ବର୍ତ୍ତମାନ ବଜାରରେ ଆଉ ଏକ ପ୍ରକାରର ବଟି ସଂଗ୍ରହର ଚଳଣି ଆରମ୍ଭ ହୋଇଛି, ଯାହା ଅତ୍ୟନ୍ତ ମାରାତ୍ମକ । ଏହାକୁ ସଂସ୍ଥା ପ୍ରୋତ୍ସାହନ ଦେଉଛନ୍ତି । ଆଉ ଏହି ସଂସ୍ଥାର ପ୍ରତିଷ୍ଠାତା ରାଜ୍ୟର କିଛି ନାମକରା ସାମ୍ବାଦିକ । ସାମ୍ବାଦିକତା କ୍ଷେତ୍ରରେ ବେଶ ନାମ କମେଇଛନ୍ତି । ସେମାନେ ସଂସ୍ଥା ଖୋଲି ଖୋଲାଖୋଲି ଦରମା ଦେଇ ପାରିବେ ନାହିଁ ବୋଲି କହିବା ସହ ସେମାନଙ୍କ ନିକଟରେ କାମ କରୁଥିବା ସାମ୍ବାଦିକଙ୍କୁ ସେମାନଙ୍କ କ୍ଷେତ୍ରରୁ ଅର୍ଥ ଉପାର୍ଜନ ପାଇଁ ଖୋଲା ଛୁଟ ଦେଉଛନ୍ତି । ପ୍ରତିଷ୍ଠାତା ଖୋଲା ଖୋଲି ସାମ୍ବାଦିକତା ବୃତ୍ତିକୁ ଲଜ୍ଜିତ କରି ସାମ୍ବାଦିକଙ୍କୁ ପ୍ରୋତ୍ସାହନା ଦେଉଛନ୍ତି ବଟି ସଂଗ୍ରହ କରିବାକୁ । ଉପରୁ ତଳ ସବୁଠି କିଛି ମାତ୍ରାରେ ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି କାୟା ବିସ୍ତାର କରିବାରେ ଲାଗିଲାନି, ଯାହା ଏହି ମହତ ବୃତ୍ତିକୁ ନିନ୍ଦିତ କରୁଛି। ତେଣୁ ସମୟ ଆସିଛି ଏପରି ସଂସ୍ଥା ଓ ସେମାନଙ୍କ ପ୍ରତିନିଧିଙ୍କ ଉପରେ ସମସ୍ତ ସ୍ୱାଭିମାନୀ  ସାମ୍ବାଦିକ ଗୋଷ୍ଠୀ ଏକତ୍ରିତ ହୋଇ କଠୋର ପଦକ୍ଷେପ ନେଇ ସେମାନଙ୍କ ଅସଲ ଚେହେରା ସର୍ବସମ୍ମୁଖକୁ ଆଣନ୍ତୁ ତଥା   ସାମ୍ବାଦିକତାକୁ କଳୁଷ ମୁକ୍ତ ରଖନ୍ତୁ

Related posts

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

mahabharatanews

କୁଲତା ସମାଜ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ

mahabharatanews

ଆସନ୍ତାକାଲି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

Leave a Comment