(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ପାରାଦ୍ୱୀପରେ ଦିନକୁ ଦିନ ବିବାଦୀୟ ହୋଇ ପଡୁଛି ସାର ପରିବହନ ପ୍ରସଙ୍ଗ। ସାର ପରିବହନ କରି ଆସୁଥିବା ଟ୍ରକ ମାଲିକମାନଙ୍କ ଭିତରେ ଧୀରେ ଧୀରେ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନର ଦାନା ବାନ୍ଧୁଥିବା ସୂଚନା ମିଳିଛି । ପାରାଦ୍ୱୀପ ସ୍ଥିତ ଇଫକୋ ସାର କାରଖାନାରେ ତିଆରି କରାଯାଉଥିବା ସାର ପରିବହନ କରିବାକୁ ଦୀର୍ଘ ୧୨ ବର୍ଷ ପୂର୍ବେ ପାରାଦ୍ୱୀପରେ ଥିବା ୩ ଗୋଟି ଟ୍ରକ ମାଲିକ ସଂଘ ଓ ଇଫକୋ କମ୍ପାନୀ ଭିତରେ ଏକ ଲିଖିତ ଚୁକ୍ତି ଭିତ୍ତିକ ବୁଝାମଣା ହେଇଥିଲା। ଫଳ ସ୍ୱରୂପ ପାରାଦ୍ୱୀପ ଇଫକୋ ସାର କାରଖାନାରୁ ଓଡିଶା ଓ ପଶ୍ଚିମବଙ୍ଗକୁ ସାର ବିତରଣ ନିମନ୍ତେ ଯେଉଁ ଟ୍ରକ ଗୁଡିକ ଯାଆସ କରିବ ତାହାର ଦାୟୀତ୍ୱ ୩ଟି ଟ୍ରକ ମାଲିକ ସଂଘ (ପାରାଦ୍ୱୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ) ନେଇଥିଲେ। କିନ୍ତୁ ବର୍ତ୍ତମାନ ଇଫକୋ କର୍ତ୍ତୃପକ୍ଷଙ୍କ ମନମାନି ଓ ମହାମାରୀ କରୋନା ପାଇଁ ସରକାରୀ କଟକଣାର ସୁଯୋଗ ନେଇ କମ୍ପାନୀ ଚଞ୍ଚକତା କରି ଉକ୍ତ ଟ୍ରକ ମାଲିକ ସଂଘଗୁଡିକୁ ସାର ପରିବହନ ପାଇଁ ଅନୁମତି ଦେବା ବଦଳରେ ଏକ ନିର୍ଦ୍ଧିଷ୍ଟ କମ୍ପାନୀ (ପାରାଦ୍ୱୀପ ପରିବହନ ପ୍ରାଇଭେଟ ଲିମିଟେଡ)କୁ ଅନୁମତି ଦେଇଛି। ଫଳରେ ବନ୍ଦର ନଗରୀର ଟ୍ରକ ମାଲିକ ସଂଘଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ କମ୍ପାନୀର ବ୍ୟକ୍ତିଗତ ସ୍ୱାର୍ଥ ପୂରଣ କରିବା ପାଇଁ ଇଫକୋ କର୍ତ୍ତୃପକ୍ଷଙ୍କ ଏଭଳି ମଣିଷ ମାରଣ ନିତି ଟ୍ରକ ମାଲିକମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ବନ୍ଦର ନଗରୀରେ ଦୈନିକ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଗାଡି ମାଲ ପରିବହନ କରିଥାଏ । ଏହି ଗାଡି ଗୁଡିକ ଉପରେ କେବଳ ମାଲିକମାନେ ନୁହେଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନ୍ୟୁନ ୭୦,୦୦୦ରୁ ଉଦ୍ଧ୍ୱର୍ ପରିବାର ନିର୍ଭର କରି ଚଳନ୍ତି। ବିଗତ ୧୨ ବର୍ଷ ଧରି ବିନା ଦ୍ୱିଧାରେ ଟ୍ରକଗୁଡିକ ସାର ପରିବହନ କରିଆସୁଥିବା ବେଳେ ଏଭଳି ସମୟରେ କାରଖାନା କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ପରିବହନ ଖର୍ଚ୍ଚ ଇଫକୋ ନିର୍ଦ୍ଧାରିତ କରିଥିବା ବେଳେ ବର୍ତ୍ତମାନ କାହିଁକି ଆମକୁ ଅଣଦେଖା କରାଯାଉଛି ସେନେଇ ୩ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ ମଧ୍ୟ କରାଯାଇଛି । ଟ୍ରକ ମାଲିକ ସଂଘମାନଙ୍କ ପାଇଁ ଉପୁଜିଥିବା ଏହି ସମସ୍ୟାର ସମାଧାନ ଆଗାମୀ ଦିନରେ କରାନଗଲେ କୋଭିଡ ନିୟମ ପାଳନ କରି ୩ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି କୁହାଯାଇଛି ।
previous post
next post
