ଓଡିଶା

ସ୍ନାନଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

(ଜୟନ୍ତ କୁମାର ସେଠୀ, ଗୋପ): ସ୍ନାନ ଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି । ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ନିଯୋଗ ସେମାନଙ୍କ ସେବାୟତଙ୍କ ତାଲିକା ଦେବାକୁ କୁହାଯାଇଛି । କୋଭିଡ୍ କଟକଣା ଭିତ୍ତିରେ କିଭଳି ନୀତି ସମ୍ପାଦନ କରାଯିବ ସେନେଇ ଆଲୋଚନା ହୋଇଛି । ଲକଡାଉନ୍ ସମୟରେ ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ନୀତି କିଭଳି ସମ୍ପାଦନ କରାଯିବ ସେନେଇ ଧାର୍ମିକ ଗୁରୁଙ୍କ ମତ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସେବାୟତମାନେ ମହାପ୍ରଭୁଙ୍କ ସମସ୍ତ ସେବାନୀତି ଶୃଙ୍ଖଳିତ ଓ ନିୟମ ଅନୁସାରେ କରିବା ନେଇ ମତ ଦେଇଛନ୍ତି । ଆଗାମୀ ଜୁନ୍ ୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଠାରୁ ଆରମ୍ଭକରି ଜଳ ବିଜେ, ସ୍ନାନ ନୀତି ତଥା ଗଜାନନ ବେଶ ସୂଚାରୁ ରୂପେ ସମ୍ପାଦନ କରିବାନେଇ ବୈଠକରେ ଆଲୋଚନା କରାଯାଇଛି । କୋଭିଡ୍-୧୯ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଓ ସୂଚାରୁ ରୂପେ ହେବ ସେ ନେଇ ବିଭିନ୍ନ ନିଯୋଗ ସେବାୟତଙ୍କ ତାଲିକା ଦେବେ ।

ଚଳିତ ବର୍ଷ ୧୫ ଦିନ ଅଣସର ନୀତି କରିବା ସହ ଶୀଘ୍ର ପହଣ୍ଡି କରିବା ନେଇ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ । ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଗୁଡ଼ିକ କିଭଳି କରାଯିବ ସେନେଇ ଧାର୍ମିକ ଗୁରୁଙ୍କ ମତାମତ ନିଆଯିବ । ଜିଲ୍ଲାପାଳ ବୈଠକ କରି ଆବଶ୍ୟକୀୟ ପଦକ୍ଷେପ ନେବେ ।

ବୈଠକରେ ପୂଜାପଣ୍ଡା, ପୁଷ୍ପାଳକ, ଗରାବଡୁ, ସୁଆରବଡୁ, ପତ୍ରୀ ବଡୁ, ମହାଜନ, ପ୍ରତିହାରୀ, ଖୁଣ୍ଟିଆ, ମେକାପ ଓ ସୁଆର ମହାସୁଆର ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସ୍ନାନ ଯାତ୍ରା ଦିନ ନୀତି ସମ୍ପାଦନ ପାଇଁ ଆବଶ୍ୟକୀୟ ସେବାୟତମାନେ ହିଁ ଉପସ୍ଥିତ ରହି ନୀତି କରିବାକୁ ମତ ରଖିଥିଲେ । ରଥଯାତ୍ରାରେ ଆବଶ୍ୟକ ହେଲେ ସବୁ ସେବାୟତ ମିଶିକରି ରଥ ଭିଡ଼ିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

Related posts

ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି

mahabharatanews

କୋଭିଡ-୧୯ ଗାଇଡଲାଇନ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

mahabharatanews

ରଥ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଆବେଦନ

mahabharatanews