ଭୁବନେଶ୍ୱର/ଶିଳାସ୍ମିତା ରାୟ: ବେଙ୍ଗ କହେ ବେଙ୍ଗୁଲିଲୋ ପୃଥୀ କ୍ଷଣ କ୍ଷଣକେ ଆନ । ଏହି ଉକ୍ତିଟି ୧୦୦ ପ୍ରତିଶତ ସତ ହୋଇଥିବା ବେଳେ କିନ୍ତୁ ଏହାର ବାସ୍ତବତା ରାଜନୀତିରେ ଦେଖିବାକୁ ମିଳେ । ରାଜନୀତିରେ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିବର୍ତ୍ତନ ପାଇଁ ସମୟ ଲାଗେନି । ସ୍ୱାର୍ଥରେ ସାମାନ୍ୟ ଆଞ୍ଚ ଆସିଲେ ରାମଚନ୍ଦ୍ରଙ୍କୁ ରାବଣ କରିବାକୁ ସମୟ ଲାଗେନି । ଆଉ ଯେଉଁ ଦଳ ଦିନେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ମୁଣ୍ଡରେ ମୁଣ୍ଡେଇ ଥାଏ ତାଙ୍କୁ ତଳେ କଚାଡି ତାଙ୍କ ସତ୍ତା ହଜେଇ ଦେବାକୁ ପଛାଏ ନାହିଁ ।
ଏଇ ଯେମିତି ଦେଖିବାକୁ ମିଳିଛି ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ । ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା ସାରୁଅ ତଥା ଇମ୍ଫୋସିଟ ଥାନା ଅଧୀନରେ ସରକାରୀ ଜାଗା ଜବରଦଖଲରେ ରଖିଛନ୍ତି । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଏହି ଜମି ବିବାଦରୁ କାମ ପିପାଷୁ ବାବା ନିତ୍ୟାନନ୍ଦଙ୍କ ସହ ବୈଜୟନ୍ତଙ୍କୁ ଯୋଡି ଦିଆଗଲାଣି । ନିତ୍ୟାନନ୍ଦଙ୍କ ସହ ସମ୍ପର୍କକୁ ନେଇ ଏଠାରେ କିଛି କହିବାର ନାହିଁ । କିନ୍ତୁ ବୈଜୟନ୍ତଙ୍କର ବା ତାଙ୍କ ପତ୍ନୀଙ୍କର ବିଭିନ୍ନ ଜମି କେଳେଙ୍କାରୀକୁ ନେଇ ଚର୍ଚ୍ଚା ମଧ୍ୟରେ ବିଜେଡି ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଟ୍ୱିଟରରେ ବୈଜୟନ୍ତଙ୍କୁ ଏକାଧିକବାର ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । କେତେବେଳେ ବାହାମାର ଭୂତ କମ୍ପାନୀ ଓର୍ଟେଲର ସେୟାର ହୋଲଡର ଓ ଏହି କମ୍ପାନୀଠାରୁ ପଣ୍ଡା ୧୦ କୋଟି ଟଙ୍କାର ଗେଷ୍ଟ ହାଉସ କିଣିଥିବାକୁ ନେଇ ତ ପୁଣି କେତେବେଳେ ମଲଟି ଏଜେନ୍ସି ଗ୍ରୁପର ତଦନ୍ତରେ ଶିଥିଳତାକୁ ନେଇ ବୈଜୟନ୍ତ ବିଜେପିର ଜାତୀୟ ଉପସଭାପତି ହୋଇ ଦଳର ସୁରକ୍ଷା କବଚ ହାସଲକରିବାକୁ ନେଇ ଟ୍ୱିଟ କରୁଛନ୍ତି । କିନ୍ତୁ ହଠାତ ପ୍ରଣବ କାହିଁ ବୈଜୟନ୍ତଙ୍କ ପଛରେ ପଡିଯାଇଛନ୍ତି । ଏପରି ଟ୍ୱିଟ କରି ପ୍ରଣବ କଣ ଦର୍ଶାଇବାକୁ ଚାହୁଁଛନ୍ତି? କାହା ଆଖିରେ ଉଠିବାକୁ ବା କାହାକୁ ତେଲ ମାରିବାକୁ କରୁଛନ୍ତି ଅପପ୍ରୟାସ?

ଏମିତି ଏକ ସମୟ ଥିଲା ଉଭୟ ବୈଜୟନ୍ତ ଓ ପ୍ରଣବ ବିଜେଡି ସୁପ୍ରିମୋଙ୍କ ଖାସ ଲୋକ ଥିଲେ । ଉଭୟ ନେତାଙ୍କ ମଧ୍ୟରେ ସୁ ସମ୍ପର୍କ ଥିଲା । ବୈଜୟନ୍ତଙ୍କ ପଛରେ ପ୍ରଣବଙ୍କୁ ଗୋଡାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଣବ ସେତେବେଳେ ବୈଜୟନ୍ତଙ୍କୁ ବଡ ଭାଇ ମାନୁଥିଲେ । ୨୦୦୦ରୁ ୨୦୧୮ ପର୍ଯ୍ୟନ୍ତ ବୈଜୟନ୍ତ ବିଜେଡିର ଜଣେ ଆଗଧାଡିର ନେତା ହୋଇଥିଲେ । କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ପୂର୍ବରୁ ସୁପ୍ରିମୋ ପଣ୍ଡାଙ୍କ ସହ ଆଲୋଚନା କରୁଥିଲେ । ପଣ୍ଡା ଥିଲେ ବିଜେଡି ତଥା ସୁପ୍ରିମୋଙ୍କ ପଥପ୍ରଦର୍ଶକ । ସେହି ସମୟ କାଳ ମଧ୍ୟରେ ବୈଜୟନ୍ତ ଶାରୁଅ ଓ ଇମ୍ଫୋସିଟି ଥାନା ଅଧୀନରେ ବର୍ତ୍ତମାନ ଥିବା ଓଟିଭି ଅଫିସଠାରେ ପ୍ରାୟ ୪ ଏକର ଜାଗା ହାତେଇ ନେଇଥିଲେ । ଏହାବାଦ୍ ପଣ୍ଡାଙ୍କ ପ୍ରତି ଦଳର ଏତେ ମାତ୍ରାରେ ଅନୁକମ୍ପା ଥିଲା କି ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ପାଣି ଆଦି ପାଇଁ ଟଙ୍କା ଟିଏ ଛଡା ଯାଉ ନ ଥିବା ବେଳେ କିନ୍ତୁ ଇମ୍ଫାକୁ ୨୩ଶହ କୋଟି ଟଙ୍କାର ବିଭିନ୍ନ ଶୁଳ୍କ ଛାଡ କରାଯାଇଥିଲା । ଏହାକୁ ନେଇ ମଧ୍ୟ ସେହି ସମୟରେ ବିରୋଧୀ ଦଳଗୁଡିକ ବହୁ ହୋ ହାଲ୍ଲା କରିଥିଲେ । କିନ୍ତୁ ସରକାର କାନକୁ କିଛି ନେଇ ନ ଥିଲେ ।

କିନ୍ତୁ ୨୦୧୮ରେ ବୈଜୟନ୍ତ ବିଜେଡିରୁ ବିତାଡିତ ହୋଇ ବିଜେପିରେ ମିଶିବା ପରେ ତାଙ୍କର ତଥା ତାଙ୍କ ପତ୍ନୀ ଓ ପତ୍ନୀଙ୍କ ସଂସ୍ଥାର ଭିନ୍ନ କଳାକାରନାମା ସରକାର ତଥା ସରକାରୀ ଦଳ ଓ ସଦସ୍ୟଙ୍କ ଆଖିକୁ ଆସିଲା । ଖାଲି ବୈଜୟନ୍ତ ବା ବୈଜୟନ୍ତଙ୍କ ପରିବାର ବିଜେଡି ଛତ୍ରଛାୟା ତଳେ ବହୁ ଦୁର୍ନୀତି କରିଛନ୍ତି କହିଲେ ଠିକ ହେବ ନାହିଁ । ଦଳରେ ଏପରି ଅନେକ ନେତା ମନ୍ତ୍ରୀ ରହିଛନ୍ତି, ଯେଉଁମାନଙ୍କ ନାମରେ ଜମି ଜାଲିଆତିର ଏକାଧିକ ମାମଲା ରହିଛି । ଏକାଧିକ ଜମି ଦଲାଲ ବିଜେଡିରେ ସାମିଲ ହୋଇ ଶହ ଶହ ଏକର ଜାଗାକୁ ମାଡିବସିଛନ୍ତି । ସେମାନଙ୍କ ନାମରେ ଥାନାରେ କୋର୍ଟରେ ମାମଲା ହୋଇଛି । କିନ୍ତୁ ବିଜେଡିରେ ସାମିଲ ହୋଇ ମନ୍ତ୍ରୀ, ସାଂସଦ ହେବା ପରେ ସେମାନଙ୍କ ମାମଲା ଶିତଳ ଭଣ୍ଡାରରେ ସଂରକ୍ଷିତ ରହିଛି । ଯଦି କେବେ ସେମାନେ ଦଳ ବିରୋଧି କାମ କରନ୍ତି ବା ଦଳରୁ ବାହାରି ଯାଆନ୍ତି ସେତେବେଳେ ସେମାନଙ୍କ ବିରୋଧରେ ଏସବୁକୁ ବ୍ରହ୍ମାସ୍ତ୍ର ରୂପେ ପ୍ରୟୋଗ କରାଯିବ ।
ଏଠି ଆମେ ବୈଜୟନ୍ତଙ୍କୁ ରାମଚନ୍ଦ୍ର କହୁ ନାହୁଁ । କିନ୍ତୁ ସେହି ରାଜନୈତିକ ଦଳ ଓ ଦଳର ନେତା ବୁଝିପାନ୍ତିନି ସେମାନଙ୍କ କୁତ୍ସାରଟନା, ନିନ୍ଦା, ପ୍ରଶଂସାର ମୂଲ୍ୟ ସାଧାରଣ ଜନତା ନିକଟରେ କିଛି ମୂଲ୍ୟ ବହନ କରେ ନାହିଁ । ଜନତା ସତ୍ୟ ସହ ଅବଗତ । ତେଣୁ ଏପରି ବାଚାଳାମିକୁ ନେଇ ଜନତା ମୁହଁରେ ହାତ ଦେଇ ହସୁଛି ।
