ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଉଥିବା କହୁଥିବା ବେଳେ ଏହି ରୋଗ ଶିଶୁଙ୍କ ପାଇଁ ମାରାତ୍ମକ ହେବ ବୋଲି ଆକଳନ କରାଯାଉଛି । ତେଣୁ ରାଜ୍ୟ ସରକାର ଗର୍ଭବତୀଙ୍କ ଟୀକାକରଣକୁ ଗୁରୁତ୍ୱ ଦେଇ ଆସନ୍ତା ୧୫ତାରିଖ ପରଠାରୁ ଗର୍ଭବତୀମାନଙ୍କୁ ଟୀକାକରଣ ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁ ଜିଲ୍ଲାରେ ଯେଉଁ ଟୀକା ଦିଆଯାଉଛି ସେହି ଟୀକା ସେଠାକାର ଗର୍ଭବତୀଙ୍କୁ ଦିଆଯିବ ବୋଲି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୧୫ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପୂର୍ବରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଥିଲା, ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଟୀକା ଅନ୍ୟ ଲୋକଙ୍କ ପରି ଗର୍ଭବତୀ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ବୋଲି ଏଥିରେ କୁହାଯାଇଥିଲା । ଅଧିକାଂଶ ଗର୍ଭବତୀ ମହିଳାଙ୍କର ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଦିଏ, କିନ୍ତୁ ତାପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଗର୍ଭସ୍ଥ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ତେବେ କୋଭିଡ୍-୧୯ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳାମାନେ କରୋନା ଟୀକା ପାଇବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଥିଲା ।
ଶୁକ୍ରବାର ଟୀକା ଅଭାବରୁ ୫ ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିବା ବେଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟୀକା ଭୁବନେଶ୍ୱରରେ ପହଞ୍ଚିଛି ବୋଲି ମଧ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।