(ମହାଭାରତ, ଅହମ୍ମଦାବାଦ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ଭାଇରସ ସଂକ୍ରମଣ ଆଉ ନ ବ୍ୟାପିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ଗୁଜୁରାଟର ଅହମ୍ମଦାବାଦରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପାନ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସର୍ବସାଧାରଣରେ ପାନ ଛେପ ପକାଇଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଅହମ୍ମଦାବାଦ ମୁୂନିସିପାଲିଟି ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ଜରିମାନା ରାଶି ୫୦୦ ଟଙ୍କା ରହିଥିବା ବେଳେ ଏହା ଏବେ ବୃଦ୍ଧି ପାଇ ୧୦୦୦ ଟଙ୍କା କରାଯାଇଛି । ବର୍ତ୍ତମାନ କରୋନା ଭୟରେ ସଂକ୍ରମଣକୁ ରୋକିବା ପାଇଁ ଅହମ୍ମଦାବାଦ ପୌରପାଳିକା ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି । ତେବେ ସୋମବାର ଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ସର୍ବସାଧାରଣରେ ପାନ ଛେପ ପକାଇ ଜରିମାନା ନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଅହମ୍ମଦାବାଦ ମ୍ୟୁନିସିପାଲିଟି କମିଶନର ବିଜୟ ନେହରା କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ପାଳନ ହେବାକୁ ଥିବା ‘ଜନତା କର୍ଫ୍ୟୁ’ରେ ରାଜ୍ୟରେ ପରିବହନ ସେବା ଓ ପାର୍କ ଆଦି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି ।
previous post
next post