Uncategorized

୩ ସପ୍ତାହ ଘୁଞ୍ଚିଲା ସାବରୀମାଳା ଶୁଣାଣି

(ନୂଆଦିଲ୍ଲୀ): କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଓ ଏହାକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ଦାଖଲ ହୋଇଥିବା ଆବେଦନଗୁଡିକର ଶୁଣାଣି ପାଇଁ ସୋମବାର ସୁପ୍ରିମକୋର୍ଟ ଏହାକୁ ତିନି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଲାଗି ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ଓକିଲ ମାନଙ୍କୁ ୩ ସପ୍ତାହ ସମୟ ଦେଇଛନ୍ତି । କୋର୍ଟଙ୍କ ଆଦେଶ କ୍ରମେ ଜାନୁଆରୀ ୧୭ ତାରିଖ ଦିନ ଏହି ମାମଲା ଲଢୁଥିବା ଓକିଲମାନେ ଆସନ୍ତା ୧୭ ତାରିଖରେ ଏକାଠି ହେବେ । ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଏହି ବୃହତ୍ତର ଖଣ୍ଡପୀଠର ଜଷ୍ଟିସ ଆର ଭାନୁମତି, ଅଶୋକ ଭୂଷଣ, ଏଲ ନାଗେଶ୍ୱର ରାଓ, ଏମ ଏମ ସନ୍ତନଗୌଡା, ଏସଏ ନଜୀର, ଆର ସୁବାଷ ରେଡ୍ଡି, ବି ଆର ଗବାଇ ଏବଂ ସୂର୍ଯ୍ୟକାନ୍ତ ଏହି ଆଦେଶ ଦେଇଛନ୍ତି ।

ତେବେ ସୋମବାର ଏହି ମାମଲାରେ ଖଣ୍ଡପୀଠ ଏକାଠି ହେବା ପରେ ରିଭ୍ୟୁ ପିଟିସନଗୁଡିକର ଶୁଣାଣି କରାଯାଇନାହିଁ । ପୂର୍ବରୁ ଏହି ମାମଲା ୫ ଜଣିଆ ଖଣ୍ଡପୀଠ ନିକଟରେ ଥିବା ବେଳେ ଯେଉଁ ସାତଟି ପ୍ରଶ୍ନ ବୃହତ୍ତର ଖଣ୍ଡପୀଠ ନିକଟକୁ ପଠାଇଥିଲେ ସେଗୁଡିକର ଶୁଣାଣି କେବଳ କରାଯାଇଛି । ସାବରିମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ୫୦ରୁ ଅଧିକ ପୁନଃ ଆବେଦନ ହୋଇଛି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ ଏ ବୋବଡେ ସୂଚନା ଦେଇଥିଲେ । ତେବେ ମସଜିଦ ଭିତରକୁ ମହିଳାଙ୍କ ପ୍ରବେଶ, ଦାଉଦି ବୋରା ସମ୍ପ୍ରଦାୟର ନାରୀଙ୍କ ଗୁପ୍ତାଙ୍ଗ ଛେଦନ, ଅଗିଆରି ସ୍ଥଳକୁ ପାର୍ସୀ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ପିଟିସନଗୁଡିକୁ ମଧ୍ୟ ଏହି ମାମଲାର ଅନ୍ତର୍ଭୁକ୍ତ କରିବା ପାଇଁ ଖଣ୍ଡପୀଠ ଚିନ୍ତା କରୁଛନ୍ତି । ଏହି ମାମଲାରେ ଥିବା ସମସ୍ୟାଗୁଡିକୁ ଶୃଙ୍ଖଳିତ କରାଯିବା ପରେ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ସେ କହିଛନ୍ତି ।

ତେବେ ରିଭ୍ୟୁ ପିଟିସନଗୁଡିକ ଦାଖଲ ହୋଇଥିବା କେଉଁ ସମସ୍ୟାଗୁଡିକ ଉପରେ ଓକିଲମାନେ ଯୁକ୍ତି ବାଢିବେ ସେସବୁ ନିଜ ନିଜ ମଧ୍ୟରେ ଆଲୋଚନା କରନ୍ତୁ ବୋଲି ଅଯୋଧ୍ୟା ମାମଲାର ଦୃଷ୍ଟାନ୍ତ ଦେଇ ପ୍ରଧାନ ବିଚାରପତି କହିଛନ୍ତି ।

ସୂଚନାଯୋଗ୍ୟ, କେରଳର ୮୦୦ ବର୍ଷ ପୁରୁଣା ସାବରିମାଳା ମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ମାମଲାଗୁଡିକର ପୁନଃ ପରୀକ୍ଷଣ କରିବାକୁ ବୃହତ୍ତର ଖଣ୍ଡପୀଠଙ୍କୁ ଗତବର୍ଷ ନଭେମ୍ବର ମାସରେ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ । ରିଭିଉ ପିଟିସନଗୁଡିକ ଉପରେ ୫ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ୩ ଜଣ ବିଚାରପତି ଏକ ପ୍ରକାର ମତ ଦେଇଥିବା ବେଳେ ଅନ୍ୟ ୨ ଜଣଙ୍କର ମତ ଏହାର ବିରୁଦ୍ଧାଚରଣ କରିଥିଲା । ତେଣୁ ଏହି ମାମଲାର ବିଚାର କରିବାକୁ ଏକ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠର ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related posts

ଥଣ୍ଡାର ସହର ସାଇବେରିଆ

mahabharatanews

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

mahabharatanews

ପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନ

mahabharatanews