ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା କ୍ଷେତ୍ରରେ ଏକ ଆଶା ସଂଚାର କରିଛି । ୫୬୫ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇଛନ୍ତି ଓ ୪୨୧ ଜଣ ସଙ୍କ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛିି । ଏହାକୁ ନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଆସନ୍ତା ୩୦ରୁ ୪୫ ଦିନ ମଧ୍ୟରେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବ।
ସେ କହିଛନ୍ତି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆରୋଗ୍ୟ ହାର ଅଧିକ ଥିବାବେଳେ ମୃତ୍ୟୁହାର କମ । ତେଣୁ ଲୋକମାନେ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ। ଅନ୍ୟପକ୍ଷରେ ଆଜି ଗୋଟିଏ ଦିନରେ ରାଜ୍ୟରେ ୩୬ ଶହ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ୮୪ ହଜାର ୭୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨୮ ହଜାର ୭୬୩ ରହିଛି।