ପୁରୀ: ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ପୁରୀରେ ଭକ୍ତ ବିହୀନ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରର ସେବାୟତମାନେ ତିନି ରଥକୁ ଶ୍ରୀମନ୍ଦିରରୁ ଭିଡ଼ି ନେଇ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ପୂର୍ବରୁ ପହଞ୍ଚାଇ ଦେଇଛନ୍ତି। ମୁଣ୍ଡଫଟା ଖରା ସତ୍ତେ୍ୱ ମାତ୍ର ୪ଘଣ୍ଟା ଭିତରେ ତିନି ଥର ଶରଧାବାଲିରେ ପହଞ୍ଚି ଯାଇଛି। ଆଜି ଚତୁର୍ଦ୍ଧା ମୂର୍ତ୍ତି ରଥରେ ରହିବେ । ରଥରେ ବିଭିନ୍ନ ନୀତିକାନ୍ତି ସମାପିତ ହେବ। ଆସନ୍ତାକାଲି ସକାଳେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ନିଆଯିବ।
ରଥ ଶରଧାବାଲିରେ ଲାଗିଲା ପରେ ଦେଖିବାକୁ ମିଳିଥିଲା ଏକ ଭାବବିହ୍ଵଳ ଦୃଶ୍ୟ। ସମସ୍ତ ସେବାୟତ ରଥ ସାମ୍ନାରେ ଛିଡା ହୋଇ ଏକ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କରିଥିଲେ। ପିଲାରୁ ବୃଢ଼ା ଯାଏଁ ସବୁ ବୟସର ସେବାୟତ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ଗାନ କରୁଥିଲେ.. ‘ସେତ ନନ୍ଦଦୁଲାଲ ବସୁଦେବ ବାଳ ଜୟ ଜୟଦେବ ହରେ।’ କେବଳ ସେବାୟତ ନୁହେଁ, ସେମାନଙ୍କ ସହ ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ସାମିଲ ହୋଇଥିଲେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଡ.କ୍ରିଷନ୍ କୁମାର।
ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମସ୍ତକୁ ବିଶେଷ କରି ସେବାୟତ ,ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।
next post