କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଭାଜପା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରରେ ଭାଜପା ସରକାରର ୧୨ ବର୍ଷ ଏବଂ ଓଡ଼ିଶାରେ ବିଜେପି ସରକାରର ୨ ବର୍ଷର ସଫଳତା ଉପରେ ଆଲୋଚନା ହୋଇଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ଦଳୀୟ ନେତୃତ୍ୱ ସରକାରଙ୍କ ସଫଳତା ଉପସ୍ଥାପନ କରିଛନ୍ତି।

ଜୁନାଗଡ଼ ସହରର ହୋଟେଲ ଓରିଅନଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ନେତାମାନେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ସୁଭଦ୍ରା ଯୋଜନା, ଧାନରେ ବୋନସ୍ ଓ ସବସିଡି ବୃଦ୍ଧି, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଭଳି ପଦକ୍ଷେପକୁ ସେମାନେ ସରକାରଙ୍କ ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ।

ଏହା ସହ ଇନ୍ଦ୍ରାବତୀ କେନାଲର ସୁଦୃଢ଼ୀକରଣ, ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ ନିର୍ମାଣ, ପିଏମ ସୂର୍ଯ୍ୟଘର ଯୋଜନା, ସ୍ୱର୍ଣ୍ଣ ଚତୁର୍ଭୁଜ ଓ ଭାରତମାଳା ଭଳି ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମି ବିକାଶକୁ ଗତି ମିଳିଥିବା ଦାବି କରାଯାଇଥିଲା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପିଏମ ଶ୍ରୀ ବିଦ୍ୟାଳୟ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏବଂ ଆୟୁଷ୍ମାନ ଭାରତ ଯୋଜନାର ସଫଳତାକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ଜିଲ୍ଲା ଭାଜପା ସଭାପତି ଯୁଗଳ ପୋଢ଼ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଜିଲ୍ଲା ଓ ବ୍ଲକ ସ୍ତରର ନେତୃବୃନ୍ଦ, ମହିଳା ମୋର୍ଚ୍ଚା ସଦସ୍ୟା ଓ ବୁଦ୍ଧିଜୀବୀମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ।
