କଟକ: ହାଇକୋର୍ଟରେ ମାମଲା ହାର ଦିନକୁ ଦିନ ବଢି ଚାଲିଛି, କିନ୍ତୁ ପୂରଣ ହେଉ ନାହିଁ ଆବଶ୍ୟକୀୟ ବିଚାରପତିଙ୍କ ସଂଖ୍ୟା। ଫଳରେ ମାଲାର ରାୟ ଆସିବା ସମ୍ଭବ ହେଉନାହିଁ । ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୬୭୪ ମାମଲା ବିଚାରାଧୀନ ରହିଛି। ଏଥିମଧ୍ୟରେ ୧,୧୯,୩୬୫ ସଭିଲ କେସ୍ ଓ ୫୩,୩୦୯ କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୮୩୩ ମାମଲା ୩୦ ବର୍ଷରୁ ଅଧିକ କାଳ ହେବ ବିଚାରଧୀନ ରହିଛି। ମାମଲା ବଢୁଥିବା ବେଳେ କିନ୍ତୁ ବିଚାରପତି ସଂଖ୍ୟା ପୂରଣ ହୋଇ ପାରୁ ନାହିଁ । ହାଇକୋର୍ଟରେ ୨୭ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦବୀ ରହିଛି, କିନ୍ତୁ ମାତ୍ର ୧୫ ଜଣ ବିଚାରପତି ରହିଛନ୍ତି ।
ନାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍ଜେଡିଜେ) ୱେବସାଇଟ୍ରେ ଅନୁସାରେ ୨୦୨୧ ଜାନୁୟାରୀ ୧୦ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୨ ହଜାର ୬୭୪ ରହିଛି । ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୪୪୨୩ଟି ମାମଲା ହାଇକୋର୍ଟରେ ଏବେ ବିଚାରାଧୀନ ଥିବା ବେଳେ ତା’ ମଧ୍ୟରେ ୩୩୮୭ଟି ସିଭିଲ କେସ୍, ୧୦୩୬ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୭୮୫୮ଟି ବିଚାରାଧୀନ ମାମଲା ଯେଉଁଥିରେ ୧୦୧୬୭ଟି କ୍ରିମିନାଲ କେସ୍, ୧୭୬୯୧ଟି ସିଭିଲ କେସ୍ ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୪୫୭୨୪। ସେଥିରେ ୧୦୫୦୭ଟି କ୍ରିମିନାଲ କେସ୍, ୩୫୨୧୭ଟି ସିଭିଲ କେସ୍ ରହିଛି। ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୭,୧୧୮ଟି ବିଚାରାଧୀନ ମାମଲା ମଧ୍ୟରେ ୬୧୬୮ଟି କ୍ରିମିନାଲ କେସ୍ ଓ ୨୦,୯୫୦ ଟି ସିଭିଲ କେସ୍ ଅନ୍ତର୍ଭୁକ୍ତ। ୧ ବର୍ଷରୁ ୩ ବର୍ଷ ପୁରୁଣା ୩୪୨୧୨ଟି ମାମଲା ମଧ୍ୟରେ ୧୨୦୫୪ଟି କ୍ରିମିନାଲ କେସ୍, ୨୨୧୫୮ଟି ସିଭିଲ କେସ୍ ରହିଛି। ୧ ବର୍ଷ ମଧ୍ୟରେ ୩୨ ହଜାର ୫୦୬ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ମହିଳାଙ୍କ ଦ୍ବାରା ଦାୟର ୧୦,୭୧୯ ମାମଲା ବିଚାରଧୀନ ଥିବାବେଳେ ସେଥିରେ ୮୮୦୮ ସିଭିଲ ଓ ୧୯୧୧ କ୍ରିମିନାଲ କେସ୍ ରହିଛି। ବରିଷ୍ଠ ନାଗରିକଙ୍କ ଦ୍ବାରା ଦାୟର ହୋଇଥିବା ୧୩୪୮୪ କେସ ମଧ୍ୟରୁ ୧୦,୪୦୧ ସିଭିଲ ଓ ୩୦୮୩ କ୍ରୀମିନାଲ କେସ ବିଚାରଧୀନ ରହିଛି।
ହାଇକୋର୍ଟ ବାର ଆସୋସିଏସନ ପୂର୍ବତନ ସମ୍ପାଦକ ସତ୍ୟବ୍ରତ ମହାନ୍ତି କୁହନ୍ତି ସ୍ୟାଟ ଉଚ୍ଛେଦ ପରେ ଲକ୍ଷାଧିକ ମାମଲା ହାଇକୋର୍ଟକୁ ଆସିଲା। କିନ୍ତୁ ୩ ବିଚାରପତି ନିଯୁକ୍ତି ଦିଆଯିବା କଥା, ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ପଦ ପୂରଣ ନହେବାରୁ ତ୍ବରିତ ନ୍ୟାୟ ପ୍ରକ୍ରିୟା ବ୍ୟାହତ ହେଉଛି ।