(ମୁମ୍ବାଇ) : ଏକ୍ସପ୍ରେସ୍ୱେ’ରେ ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୬ଜଣ ଯାତ୍ରୀଙ୍କର ମୃତ । ଶୁକ୍ରବାର ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ ଯାଉଥିବା ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭ଜଣ ଆହତ ହୋଇଥିବା ଜଣାପଡିଛି । ସେପଟେ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଘଟଣାସ୍ଥଳକୁ ଯିବେ। ଘଟଣାର ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ବସ୍ଟି ଯବତମାଲ୍ରୁ ପୁଣେ ଯାଉଥିଲା । ଟାୟାର୍ ଫାଟିଯିବାରୁ ଘରୋଇ ବସ୍ଟି ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ‘ଡିଭାଇଡର୍’ ଆଡ଼କୁ ମାଡ଼ିଯାଇ ଓଲଟିପଡ଼ିଥିଲା ।ବସ୍ରୁ ୨୫ଟି ଶବ ବାହାର କରାଯାଇଛି। ସେ ବସ୍ରେ ସମୁଦାୟ ୩୩ଜଣ ଲୋକ ଥିଲେ। ୬ରୁ ୮ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଛି।
