ନୂଆଦିଲ୍ଲୀ: ଚୀନରେ କରୋନା ସ୍ଥିତିରେ ସୁଧାର ଆସିଥିବା ବେଳେ କିନ୍ତୁ ଇଟାଲୀର ସ୍ଥିତି ଗୁରୁତର ରହିଛି । ତେଣୁ ଇଟାଲୀରେ ରହିଥିବା ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଇଟାଲୀରୁ ୨୬୩ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ଏୟାର ଇଣ୍ଡିଆ ବିମାନ ଯୋଗେ ଆଜି ଏହି ସମସ୍ତ ଭାରତୀୟ ଫେରିଛନ୍ତି ।
ଗତକାଲି ଇଟାଲୀର ରାଜଧାନୀ ରୋମ ସ୍ଥିତ ଫିମିସିନୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏୟାର ଇଣ୍ଡିଆ ବୋଇଙ୍ଗ ୭୭୭ ବିମାନ ପଠାଇଥିଲା । ଆଜି ସମସ୍ତ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନଟି ସକାଳ ପ୍ରାୟ ୯.୧୫ରେ ଦିଲ୍ଲୀରେ ଅବତରଣ କରିଛି । ଏବେ ଏହି ଭାରତୀୟଙ୍କର ସ୍କ୍ରିନିଂ ଟେଷ୍ଟ ହେବ । ଏହାପରେ ସମସ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯିବ । ଏହାପୂର୍ବରୁ ଗତ ସପ୍ତାହରେ ଏୟାର ଇଣ୍ଡିଆ ମିଲାନକୁ ଏକ ବିମାନ ପଠାଇ ସେଠାରେ ୨୩୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଥିଲା । ଏହି ବିମାନ କମ୍ପାନୀ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦିଲ୍ଲୀ-ରୋମ ଏବଂ ଦିଲ୍ଲୀ-ମିଲାନ ରୁଟରେ କାର୍ଯ୍ୟ ସ୍ଥଗିତ କରିସାରିଛି ।
ସୂଚନାଯୋଗ୍ୟ, କିଲର କରୋନା ଭାଇରସର କେନ୍ଦ୍ର କୁହାଯାଉଥିବା ଚୀନରେ ସ୍ଥିତି ଏବେ ସୁଧୁରୁଛି । ଶୁକ୍ରବାର ପାଖରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତ । ୭୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୬,୦୭୨ ଜଣ ସୁସ୍ଥ ହୋଇଛନ୍ତି । ୧୭୦ ରୁ ଅଧିକ ଦେଶକୁ ବ୍ୟାପିଛି ଏହି ମହାମାରୀ । ଏଯାବତ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀଯରେ ଚୀନ ରହିଛି ।