(ତାଇୱାନ୍): ଅଳ୍ପ କିଛି ବର୍ଷ ହେବ ବେଜିଙ୍ଗ୍ ତାଇୱାନ୍ର ବାୟୁ ସୁରକ୍ଷା ସୀମା ମଧ୍ୟକୁ ବହୁ ଥର ଲଢୁଆ ବିମାନ ପଠାଉଛି ।୨୦୨୧ରେ ଚୀନ୍ ତାଇୱାନ୍ ବାୟୁ ସୁରକ୍ଷା ସୀମାକୁ ଯେତେ ଲଢୁଆ ବିମାନ ପଠାଇଥିଲା ୨୦୨୨ରେ ତା’ର ଦୁଇଗୁଣ ଲଢୁଆ ବିମାନ ପଠାଇଛି। ପ୍ରାୟ ୬ ଘଣ୍ଟା ସମୟ ମଧ୍ୟରେ ତାଇୱାନ୍ର ବାୟୁ ସୁରକ୍ଷା ଜୋନ୍ ମଧ୍ୟକୁ ୩୦ରୁ ଅଧିକ ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ଆଜି ଦ୍ବୀପଦେଶ ତାଇୱାନ୍ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ସୂଚନାନୁଯାୟୀ , ତାଇୱାନ୍ ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ସୁନ୍ ଲି-ଫାଙ୍ଗ୍ କହିଛନ୍ତି ଯେ, ଆଜି ସ୍ଥାନୀୟ ସମୟ ଭୋର୍ ୫ଟାରୁ ସମୁଦାୟ ୩୭ଟି ଚୀନା ଲଢୁଆ ବିମାନ ତାଇୱାନର୍ ଦକ୍ଷିଣପଶ୍ଚିମ ବାୟୁ ସୀମା ସୁରକ୍ଷା ଜୋନ୍ ମଧ୍ୟକୁ ପ୍ରବେଶ କରିଛି। ସେଥିରୁ କେତେକ ଦୂରଗାମୀ ପର୍ଯ୍ୟବେକ୍ଷଣ ତାଲିମରେ ପଶ୍ଚିମ ପ୍ରଶାନ୍ତ ମହାସାଗର ଆଡ଼କୁ ଉଡ଼ିଯାଇଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ତାଇୱାନ୍ ସେନା ଏହାର ମୁକାବିଲା କରିବା ପାଇଁ ପାଟ୍ରୋଲ୍ ବିମାନ, ଯୁଦ୍ଧପୋତ ଏବଂ ଭୂପୃଷ୍ଠରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥା ସକ୍ରିୟ କରିଥିବା କଥା ଟୁଇଟ୍ କରି ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି।
