ଭୁବନେଶ୍ୱର: ଏବେ ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କାଲି କମିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୦ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଶିଶୁମାନେ ତୃତୀୟ ଲହରରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଊଦ୍ଧ୍ୱର୍ଙ୍କର ଟୀକାକରଣ ହୋଇସାରିଲାଣି। ଶିଶୁଙ୍କର ଟୀକାକରଣ ହୋଇ ନ ଥିବାରୁ ଶିଶୁ ସଂକ୍ରମଣ ଅଧିକ ରହିପାରେ। ତେବେ ତୃତୀୟ ଲହର ଏବେ ମଧ୍ୟ ଆକଳନ ସ୍ତରରେ ରହିଛି। ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।
ଡବଲ୍ ଡୋଜ୍ ଟୀକା ନେଇଥିବା ଲୋକଙ୍କୁ ମେଳା ବୁଲିବାକୁ ଅନୁମତି ମିଳିବ । ତେବେ ଏ ନେଇ କେନ୍ଦ୍ରର କୌଣସି ନିର୍ଦ୍ଦେଶନାମା ରାଜ୍ୟକୁ ଆସି ନାହିଁ। ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସ୍ଥିର କରିବେ। କେତେ ଟିକା ଦିଆଯାଇଛି ଏହାକୁ ଦେଖି ସରକାର ନିର୍ଦ୍ଦେଶନାମା ଦେବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ହାରକୁ ନେଇ ମହାପାତ୍ର କହିଛନ୍ତି, ଯେତେବେଳେ ମହାମାରୀ ପିକ୍ରେ ଥିଲା ଅଡିଟ୍ ହୋଇ ପାରି ନଥିଲା। ଏବେ ଯାହା ଆସୁଛି ଦିଆ ହେଉଛି। ମୃତ୍ୟୁ ହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ। ଟୀକାକରଣ ସହ ସେରୋ ସେର୍ଭେ ଚାଲିଛି।
ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପାର୍ବଣରେ ଭିଡ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଯୋଗଦେବା ଆବଶ୍ୟକ ପଡିଲେ କରୋନାର ଦୁଇ ଡୋଜ ଟୀକା ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗକୁ କରୋନାର ସମ୍ଭାବ୍ୟ ତୃତୀୟ ଲହର ସାଙ୍ଗକୁ ଶିଶୁ ସଂକ୍ରମଣ ଏବେ ଚିନ୍ତା ବଢାଇ ଦେଇଛି । ପୁଣି ପାର୍ବଣ ଋତୁର ଆଗମନ । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରାଯାଇଛି ।
previous post
next post