(ଉତ୍ତରପ୍ରଦେଶ) : ଉତ୍ତର ଭାରତରେ ଲଗାତର ବର୍ଷା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଟରେ | ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି |
ସୂଚନାନୁସାରେ, ମେରଟର ପରିକ୍ଷିତଗଡ଼ ଅଂଚଳରେ ଥିବା ରାଲିଚୌହାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି | କାଉଡିଆଙ୍କ ଶିବିର ଉପର ଦେଇ (୧୧୦୦୦ କେଭି) ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଥିବାବେଳେ ଏହା ଛିଡିପଡିଥିଲା ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ | ତୁରନ୍ତ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ୪ରୁ ଅଧିକ କାଉଡିଆ ଏବେ ବି ଗୁରୁତର ଥିବାର ଜଣାପଡିଛି |