(ହାଇଦ୍ରାବାଦ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି । ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି । ରାଜ୍ୟରେ ପ୍ରଭାବଶାଳୀ ଶାସନ ଲାଗି ଏଭଳି କରାଯିବ ବୋଲି ସେ କହିଛନ୍ତି । ଯୋଜନା ଅନ୍ତର୍ଗତ କରନୁଲ, ବିଶାଖାପାଟନମ ଏବଂ ଅମରାବତୀରେ ରାଜଧାନୀ ହେବ । ଭିନ୍ନ ଭିନ୍ନ ରାଜଧାନୀରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେବ । ଏସବୁ ମଧ୍ୟରେ ଶାସନ, ବିଧାନସଭା ଏବଂ ନ୍ୟାୟିକ ପ୍ରକ୍ରିୟା ଆଦି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ନୂତନ ରାଜଧାନୀ ନିର୍ମାଣ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିର ସଦସ୍ୟ ଆଗାମୀ ଦୁଇ ମାସରେ ଏହା ଉପରେ ରିପୋର୍ଟ ଦେବେ ବୋଲି ଆନ୍ଧ୍ର ସରକାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ତିନୋଟି ରାଜଧାନୀ ନିର୍ମାଣ ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଏଥିରୁ ଗୋଟିଏ ବ୍ୟବସ୍ଥାପିକା ରାଜଧାନୀ ଗଠନ କରାଯିବାର ପ୍ରସ୍ତାବ ରହିଥିବା ବେଳେ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଲାଗି ଅଲଗା ଦୁଇଟି ରାଜଧାନୀ ଗଠନ ହେବ । ଯଦି ଆନ୍ଧ୍ର ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ରହିବ ।
ଦକ୍ଷିଣ ଆଫ୍ରିକା ଢାଞ୍ଚାରେ ପ୍ରତିଷ୍ଠା ହେବାକୁ ଥିବା ୩ଟି ରାଜଧାନୀ ମଧ୍ୟରୁ ଅମରାବତୀକୁ ରାଜ୍ୟର ବିଧାନ ବା ଲେଜିସ୍ଲେଟିଭ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ । ସେହିପରି ବିଶାଖାପଟ୍ଟନମ ହେବ ରାଜ୍ୟର କାର୍ଯ୍ୟକାରୀ ବା ଏକଜିକ୍ୟୁଟିଭ ରାଜଧାନୀ । ଏଠାରେ ରାଜ୍ୟ ସଚିବାଳୟ ରହିବ । ଏବଂ କରନୁଲ ହେବ ନ୍ୟାୟିକ (ଜୁଡିସିଆଲ) ରାଜଧାନୀ । ଏଠାରେ ରାଜ୍ୟର ହାଇକୋର୍ଟ କାର୍ଯ୍ୟ କରିବାର ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ ରେଡ୍ଡି କହିଛନ୍ତି । ସୂଚନାଯୋଗ୍ୟ, ଏବେ ହାଇଦ୍ରାବାଦକୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ପରିଗଣିତ କରାଯାଉଛି ।