(ମହାଭାରତ, ଶ୍ରୀନଗର): ଜାମ୍ମୁ-କାଶ୍ମୀରର ଅବନ୍ତିପୋରାରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍)ର ଜଣେ ସମର୍ଥକଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ରସିକ ମକ୍ବୁଲ୍ ବୋଲି ଜଣାପଡିଛି । ସୈଦାବାଦ ପାସ୍ତୁନ ଗାଁରେ ତଲାସି ଅଭିଯାନ ସମୟରେ ତାକୁ ଗିରଫ କରଯାଇଛି । ତା ନିକଟରୁ ଅପରାଧିକ କାର୍ଯ୍ୟରେ ବ୍ୟବହୃତ କେତେକ ସାମଗ୍ରୀକୁ ସୁରକ୍ଷା କର୍ମୀମାନେ ଜବତ କରିଛନ୍ତି । ଏହାକୁ ଭିତ୍ତି କରି ତ୍ରାଲ ଥାନାରେ ମାମଲା ରୁଜୁ କରାଯାଇଛି । ସୁରକ୍ଷା ବଳଙ୍କ କହିବା ଅନୁସାରେ, ତ୍ରାଲା ଅଞ୍ଚଳରେ ରସିକ୍ ଆତଙ୍କବାଦୀ ସଂଗଠନର ସମସ୍ତ ପରିବହନ କାର୍ଯ୍ୟ ତୁଲାଇବା ସହ ଅନ୍ୟାନ୍ୟ ସହଯୋଗ ମଧ୍ୟ କରୁଥିଲା । ପୂର୍ବରୁ ଅନ୍ୟ ଏକ ସଫଳ ଅଭିଯାନରେ ନିରାପତ୍ତା ବଳ ଲଶ୍କର-ଏ-ତୋଏବାର ଜଣେ ସକ୍ରିୟ ଆତଙ୍କବାଦୀକୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଥିଲା । ସେ ସେହି ସଂଗଠନର ଅନ୍ୟତମ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସାଜିଦ୍ର ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି । ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ନିରାପତ୍ତା ବଳ ପଚରାଉଚରା ଚଳାଇଛି ।
previous post
