(ୱାଶିଂଟନ): ଭୟଙ୍କର କୋରୋନା ଭାଇରସ ଏବେ ବିଶ୍ୱର ୯୪ଟି ଦେଶକୁ ବ୍ୟାପିଛି । ଏହି ଭାଇରସ ସଂକ୍ରମଣରେ ଆମେରିକାରେ ଏଯାଏ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୫୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ନ୍ୟୁୟର୍କ ସହରରେ ଏହି ସଂକ୍ରମଣକୁ ନେଇ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଟ୍ରୁ କୁମୋ ଏହି ଘୋଷଣା କରିଛନ୍ତି । ନ୍ୟୁୟର୍କର ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଲୋକଙ୍କ ସେବାରେ ନିୟୋଜିତ ହେବେ ବୋଲି ସେ କହିଛନ୍ତି । ଏଯାବତ ଆମେରିକାରେ ୨୧ ଜଣ ଏହି ଭୟଙ୍କର ଭୁତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ୱାଶିଂଟନ, ଜଣେ ଲେଖାଏଁ ଫ୍ଲୋରିଡା ଓ କାଲିଫର୍ଣ୍ଣିଆର ବୋଲି ଜଣାପଡିଛି । ସାରା ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଆମେରିକାରେ କୋରୋନା ବ୍ୟାପୁଥିବାରୁ ନ୍ୟୁୟର୍କ ସହର ପରେ ଏବେ ଔରେଗନ ଷ୍ଟେଟରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ଅନ୍ୟପଟେ ଓକଲାଣ୍ଡରେ ପହଞ୍ଚିବାକୁ ଥିବା ଗ୍ରେଡ ପ୍ରିନସେସ୍ ଜାହାଜରେ କୋରୋନା ଆକ୍ରାନ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ରବିବାର ଏନେଇ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗୌବିନ ନ୍ୟୁସମ ସୂଚନା ଦେଇଛନ୍ତି । ଏହି ଜାହାଜରେ ଥିବା ୩୫୦୦ ଯାତ୍ରୀଙ୍କର କୋରୋନା ଟେଷ୍ଟ ହୋଇଥିଲା । କିନ୍ତୁ କେହି ସଂକ୍ରମିତ ହୋଇନଥିବା ଜଣାପଡିଛି ।
previous post