(ହାଇଦ୍ରାବାଦ): ଦେଶର ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଇନକିଲାବ-ଏ-ମିଲତ୍ ସଂଗଠନର ଜଣେ ସଦସ୍ୟ ଏହି ମାମଲା ରୁଜୁ କରିଛନ୍ତି । ତେବେ ଓୱେସୀଙ୍କ ସମେତ ତାଙ୍କ ଦଳର ବିଧାୟକ ୱାରିସ ପଠାନ୍ ଏବଂ ଆପ୍ ନେତା କପିଲ ମିଶ୍ରାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି । କର୍ଣ୍ଣାଟକର କାଲାବୁର୍ଗିରେ ଆୟୋଜିତ ଏକ ସିଏଏ ବିରୋଧୀ ସଭାରେ ୱାରିସ ପଠାନ ଉଦ୍ରେକମୂଳକ ଭାଷଣ ଦେଇଥିଲେ । ଏହି ସଭାରେ ଦଳ ମୁଖିଆ ଓୱେସୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଭାଷଣ ଜରିଆରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି । ସେହିପରି ଆପ ନେତା କପିଲ ମିଶ୍ରା ଦିଲ୍ଲୀରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା କରିଥିଲେ । ଏହି ସମୟରେ ସେ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ପରେ ସିଏଏ ସପକ୍ଷବାଦୀ ଓ ଏହାର ବିରୋଧୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି । ଏହି ଅଭିଯୋଗକୁ ଆଧାର କରି ହାଇଦ୍ରାବାଦର ମୋଘଲପୁରା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
previous post
next post