(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ୫୯ ନମ୍ବର ଜାତୀୟ ରାଜପଥଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଗୋଟିଏ ବାଇକକୁ ଧକ୍କା ଦେଇଛି । ଫଳରେ ବାଇକ୍ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ମୁଣ୍ଡିଗଡ ଗାଁର ପ୍ରଭାତ ବଡସେଠ, ନୀଳିମା ସାନମାଝି ବୋଲି ଜଣାପଡିଥିବା ବେଳେ ଜଣେ ଛୋଟ ପିଲା ସେମାନଙ୍କ ମଧ୍ୟରେ ରହିଛି । ଦୂର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଭବାନୀପାଟଣାରୁ ରୋଗୀ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ବ୍ରହ୍ମପୁର ମେଡିକାଲ ଯାଉଥିଲା । ଏହି ସମୟରେ ମୁଣ୍ଡିଗଡ ୫୯ ନମ୍ବର ଜାତୀୟ ରାଜପଥ ଠାରେ ସାମନାରୁ ଆସୁଥିବା ଏକ ବାଇକକୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକଙ୍କ ସମେତ ଅନ୍ୟ ତିନିଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାଇକରେ ବସିଥିବା ରିବିକା ମାଝି ଓ ଅନ୍ୟ ଜଣେ ଛୋଟ ପିଲା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୂର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ । ଫଳରେ ଏଠାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ।
