ଓଡିଶା

ଜଳ ବନ୍ଦୀରୁ ମୁକୁଳିଲେ ୨୦ପରିବାର

ଆଜିତ ସାହୁ /ଜଳେଶ୍ବର : ଜଳ ବନ୍ଦୀରୁ ମୁକୁଳିଲେ କୋଡିଏ ପରିବାର। ଅମ୍ଫାନ ଓ ଲଗାଣ ବର୍ଷା ପାଇଁ ବାଲିଆପାଳ ବ୍ଲକ ତଥା ବାଲିଆପାଳ ପଂଚାୟତର କଚୁଆପଡା ଗ୍ରାମର ପ୍ରାୟ କୋଡିଏ ପରିବାର ଜଳ ବନ୍ଦୀ ହୋଇ ରହିଥିଲେ। କାରଣ ବାଲିଆପାଳ ବଜାର ଓ ବ୍ଲକ ଅଫିସର ପାଣି ଏହି ଗାଂଆ ଦେଇ ନିଷ୍କାସିତ ହୋଇଥାଏ। ବର୍ଷା ଫଳରେ ଗାଁର ୨୦ ପରିବାର ସବୁ ସମୟରେ ଜଳ ଘେରରେ ରହିଥିଲେ । ବ୍ଲକର ପଛପଟକୁ ଲାଗି ଗାଁଟି ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ଭଳି ରହିଯାଉ ଥିଲା। ପ୍ରଶାସନର ନଜର ପଡୁନଥିଲା। ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ନହେଉନୁ ଜଳ ନିଷ୍କାସନ ହୋଇନପାରି ରାସ୍ତା, ଘାଟ ସହିତ ଲୋକଙ୍କ ବାଡ଼ି, ଘର ଅଗଣାରେ ଲହଡି ଭାଙ୍ଗୁ ଥିଲା। ଯାହା ପାଇଁ ଲୋକେ ନାନା ଅସୁବିଧା ଭୋଗ କରୁଥିଲେ। ଏମିତିକି ଚୁଲିରେ ପାଣି ପସିଯାଇଥିବାରୁ ରୋଷେଇ ଠପ ହେଉଥିଲା ଅନେକ ସମୟରେ । କେବଳ ସେତିକି ନୁହଁ ପାଣି ଜମି ରହିବାରୁ ଦୁର୍ଗନ୍ଧରେ ନାକ ଫାଟିଯାଉଥିଲା । ଏଥି ସାଙ୍ଗକୁ ମାଛି ମଶାର ବଂଶ ବଢିଚାଲିଥିଲା । ଏକ ଅସୁରକ୍ଷିତ, ପୂତ୍ତିଗନ୍ଧମୟ ପରିବେଶ ଭିତରେ ଗ୍ରାମବାସୀ ରହିଆସୁଥିଲେ। ପାଣି ନିସ୍କାସନ ପାଇଁ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ ବି ସମସ୍ୟା ସମାଧାନ ହେଉନଥିଲା। ଆଜି କାଲିର ମିଛ ପ୍ରତିଶ୍ରୁତି ସାଙ୍ଗକୁ ଘର ଉଠାଇ ନେଇଯାଅ, ତହସିଲ ଦାର କଣ ଯାଇ ପାଣି ନିଷ୍କାଷନ କରିବେ ବୋଲି ଧମକ ଦିଆଯାଉଥିଲା।

ଶେଷରେ ନିରାଶ ହୋଇ ନ୍ୟାୟ ପାଇଁ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଓ ତହସିଲ ପ୍ରଶାସନ କୁ ସମସ୍ୟା ଅଵବଗତ କରାଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ତୁରନ୍ତ ଅତିରିକ୍ତ ତହସିଲଦାର ଧାରଣାକାରୀଙ୍କ ସହିତ ଆଲୋଚନା କରି ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ହୋମ ପାଇପ ପକାଇ ପାଣି ନିଷ୍କାସନର ବ୍ୟବସ୍ଥା କରିଥିଲେ । ଖୁବଶୀଘ୍ର ଡ୍ରେନ କରି ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ବାଲିଆପାଳ ସରପଞ୍ଚ ମଧୁସୂଦନ ବାରିକ ସୂଚନା ଦେଇଛନ୍ତି।

Related posts

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

ଗଜପତି ଏସ୍ପି ସଚେତନତା ଗୀତ ଗାଇଲେ

mahabharatanews

ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି: ଅଭିଯୁକ୍ତ ମହିଳା ଗିରଫ

mahabharatanews