ଓଡିଶା

 ଭୂୟାଁ ବାବୁ ବିଡିଏର ହର୍ତ୍ତା କର୍ତ୍ତା ଦଇବ ବିଧାତା

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍ ୧୫ ଆକ୍ଟୋବରକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ପ୍ଲାନିଂ କମିଟି ବୈଠକ । ଭୁବନେଶ୍ୱରର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯୋଜନାକୁ ଦିଆଯିବ ସ୍ୱୀକୃତି । ଏହାକୁ ନେଇ ଟେଣ୍ଡର ପକାଇଥିବା ଲୋକଙ୍କ ଆଖିକୁ ନିଦ ନାହିଁ । ଆସନ୍ତା କାଲି କାହା ଉପରେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ପଡିବ, କିଏ ଟେଣ୍ଡର ପାଇବ, ଏଇ ଚିନ୍ତାରେ ଆବେଦନକାରୀ । କିନ୍ତୁ ବିଡିଏର କିଛି କର୍ମଚାରୀ ତଥା ବିଡିଏକୁ ଜାଣିଥିବା ଲୋକେ ଆବେଦନକାରୀଙ୍କ ଛାନିଆକୁ ନେଇ ମୁହଁରେ ହାତ ଦେଇ ହସୁଛନ୍ତି । କାଲି ହେବାକୁ ଥିବା ବୈଠକକୁ ନେଇ ନାନା ସମାଲୋଚନା ।
ଶୁଣିବାକୁ ମିଳୁଛି ଏହି ବୈଠକ ଖାଲି ଏକ ଭେଳିକି । ଯାହାକୁ ଯାହା ଟେଣ୍ଡର ମିଳିବା କଥା ସେ କାମ ଭୂୟାଁ ବାବୁ ତୁଟେଇ ଦେଇଛନ୍ତି । ଏହି ଭୂୟା ବାବୁ ହିଁ ବିଡିଏର ହର୍ତ୍ତା କର୍ତ୍ତା ଦଇବ ବିଧାତା । ବିଡିଏ କହିଲେ ଭୂୟାଁ ବାବୁଙ୍କୁ ହିଁ ବୁଝାଏ । ତାଙ୍କ ଇଙ୍ଗିତରେ ସବୁ କିଛି ହୋଇଥାଏ । ତାଙ୍କ ବିନା ଅନୁମତିରେ ବିଡିଏ ପରିସରରେ କୁଆଡେ ପତ୍ର ଟିଏ ବି ହଲେନି । ତୁଛାଟାରେ ଟେଣ୍ଡର ଆବେଦନକାରୀ ଛାନିଆ ହେଉଛନ୍ତି ବୈଠକକୁ ନେଇ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଭୂୟାଁ ବାବୁ କିଏ?


ବିଡିଏର ଅନ୍ଦର ମହଲରୁ ଶୁଣିବାକୁ ମିଳିଛି କି, ଭୂୟାଁ ବାବୁ ବିଡିଏର ସବୁ କିଛି । ଏଠି ଅଧ୍ୟକ୍ଷ, ନିର୍ଦ୍ଦେଶକ ସବୁ ରବର ଷ୍ଟାମ୍ପ । ବାବୁଙ୍କ ଯେଉଁଠି ଇଛା ସେଠି ଏ ଷ୍ଟାମ୍ପ ବସେଇବେ । ଅର୍ଥାତ୍ ଏହି ଅଧିକାରୀ ସ୍ୱୀକୃତି ଦେବେ । ଏହି ଅନୁମୋଦନ ପାଇଁ କୁଆଡେ ଭୂୟାଁ ବାବୁ ଭଲ ଉପରି ରୋଜଗାର କରନ୍ତି । ଯିଏ ତାଙ୍କୁ ଟଙ୍କାରେ ପୋତି ପାରିଲା ତାର କାମକୁ ମିଳେ ଗ୍ରୀନ ସିଗନାଲ । ଆଉ ଯିଏ ସନ୍ତୁଷ୍ଟ କରି ନ ପାରିଲା ତାର ଭେଳା ବୁଡିଲା । ଟେଣ୍ଡର ପାଇଁ ଆବଶ୍ୟକ ହେଉଥିବା ସବୁ କ୍ରାଇଟେରିଆରେ ସେ ପାସ କରି ଗଲେ ମଧ୍ୟ ଶେଷକୁ ମିଳେ ନକାରାତ୍ମକ ଫଳ । ବିଡିଏରେ ଏହି ହେରଫେର କାମ ପାଇଁ ଭୂୟାଁ ବାବୁଙ୍କ ଭାରି ନାମ ରହିଛି । ବାବୁଙ୍କୁ ହାତ କରି ବିଡିଏକୁ ଆସୁଥିବା ସବୁ କାମକୁ କରାଇନିଅନ୍ତି ଦୁର୍ନୀତିଗ୍ରସ୍ତ କଣ୍ଟ୍ରାକ୍ଟର, ଯନ୍ତ୍ରୀ, ମନ୍ତ୍ରୀ, ତନ୍ତ୍ରୀ । ସେମାନଙ୍କ ଟେଣ୍ଡର ପାସ ହୁଏ । ଭୂୟାଁ ବାବୁଙ୍କ ଅଭୟ ହାତ ମୁଣ୍ଡରେ ଥିବାରୁ କିଏ ଟେଣ୍ଡର ଟାଇମ ପିରିଅଡରେ ଯେନତେନ ଉପାୟରେ ଶେଷ କଲା ତ ପୁଣି କିଏ ୬ ମାସର କାମକୁ ନେଇଗଲା ୬ ବର୍ଷ ।
ଆଉ ବାବୁଙ୍କ ଏହି ଲାଞ୍ଚଖୋର ମନୋବୃତ୍ତି ପାଇଁ ବିଡିଏର ହୋଇପାରୁନି ଉନ୍ନତି । ଗୋଟିଏ କାମ ପାଇଁ ଏକାଧିକ ବାର ଦିଆଯାଉଛି ଟେଣ୍ଡର । ଏଥିରେ ବାବୁଙ୍କର ତ ଲାଭ ହେଉଛି, ତାଙ୍କ ସହ କଣ୍ଟ୍ରାକ୍ଟର, ଯନ୍ତ୍ରୀ, କାର୍ଯ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀ ଯୋଗାଣକାରୀଙ୍କ ମଧ୍ୟ ସ୍ୱାର୍ଥ ସାଧନ ହେଉଛି । ଏହି ପ୍ରକାର କାମ ପାଇଁ କେତେବେଳେ କେଉଁଠି ବ୍ରିଜ ଭୁଶୁଡି ଗଲାଣି ତ ପୁଣି କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି । ରାତିରେ ପିଚୁ ପଡି ରାସ୍ତା ଚକାଚକ ହେଉଛି, ଅସରାଏ ବର୍ଷା ନ ହେଉଣୁ ରାସ୍ତା ଆଁ କରି ଚାହୂଛି । କଣ୍ଟ୍ରାକ୍ଟରଙ୍କୁ ପୁଣି କାମ ଦିଆ ହେଉଛି । ଗୋଟିଏ ବିଫଳତା ପରେ ମଧ୍ୟ ବାବୁ ପାଉଣା ପରିମାଣ ଦ୍ୱିଗୁଣିତ କରି ସେହି ଠକ ସଂସ୍ଥା ବା ଠିକାଦରଙ୍କୁ ଦେଇଥାନ୍ତି କାମ । ଏମିତି ଦେଣ ନେଣରେ ଚାଲିଛି ବିଡିଏର କାମ କିନ୍ତୁ ଲୋକଙ୍କ ସ୍ୱାର୍ଥ ସାଧନ ହେଉ ନାହିଁ କି ଭୁବନେଶ୍ୱରର ଉନ୍ନତି ସାଧନ ହେଉନାହିଁ ।


ଏମିତି ଉପୁରି କମେଇରୁ ବାବୁ କୋଟି କୋଟି ଟଙ୍କାର ମାଲିକ । ଏହାକୁ ନେଇ ଜାଣିବା ଶୁଣିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା । କିନ୍ତୁ ସ୍ୱଚ୍ଛତାର ପ୍ରତୀକ ନବୀନ ସରକାରକୁ ମିଳୁନାହିଁ ତାଙ୍କ ନେଣଦେଣର ସୂଚନା । ଦକ୍ଷ ୫ଟି ବିଭାଗ ମଧ୍ୟ ବିଡିଏର ଏହି ଦୂର୍ନୀତିଖୋର ବାବୁଙ୍କ ଉପରେ ନେଉନାହିଁ ପଦକ୍ଷେପ । ମିଛଟାରେ ସରକାର ଓ ପ୍ରଶାସନ ହାତ ଗଣତି କିଛି ଛୋଟମୋଟ ତଥା ସରକାର ବିରୋଧୀଙ୍କୁ ଧରି ନିଜ ସ୍ୱଚ୍ଛତା ପ୍ରତିପାଦନ କରିବାରେ ବ୍ୟସ୍ତ । କିନ୍ତୁ ଭୂୟାଁବାବୁଙ୍କ ପରି ଦୁର୍ନୀତିରେ ପୋତି ହୋଇ ରହିଥିବା ଲୋକଙ୍କୁ ଧରିବାକୁ ନାହିଁ ଦମ ବୋଲି ଚର୍ଚ୍ଚା ହେଉଛି ।

Related posts

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews

ଜେଏସପି ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟକୁ ମିଳିଲା “ଜାତୀୟ ମାନବସମ୍ଭଳ ପୁରସ୍କାର”

mahabharatanews

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews