ଭୁବନେଶ୍ୱର/ଶିଳାସ୍ମିତା ରାୟ: ବାଲେଶ୍ୱର ସଦର ବିଧାନସଭା ଆସନରୁ ସ୍ୱରୂପ ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ବାଲେଶ୍ୱର ବିଜେଡିରେ ଥିବା ଫାଟ ପଦାରେ ପଡି ଯାଇଛି । ସେହି ଆସନକୁ ହାତେଇବା ମଧ୍ୟ ଏବେ ବିଜେଡି ପାଇଁ ଏକ ପ୍ରକାର ଅସମ୍ଭବ ପରି ମନେ କରୁଛନ୍ତି ରାଜନୈତିକ ବିଶେଷଜ୍ଞ । ରବୀନ୍ଦ୍ର ଜେନାକୁ ଅସନ୍ତୁଷ୍ଟ କରି ଦଳ ଜିତିବାକୁ ନେଇ ସୃଷ୍ଟିହୋଇଛି ସନ୍ଦେହ । କାରଣ ଗତଥର ଏହି ଆସନକୁ ବିଜେପି ହାତେଇ ଥିଲା । ବିଜେପି ଉପନିର୍ବାଚନରେ ମଦନ ମୋହନଙ୍କ ଅକାଳ ବିୟୋଗର ଫାଇଦା ନେବ । ସେଥିଲାଗି ସେ ତାଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି । ବିଜେପିର ଭୋଟ ସହ କିଛି ସହାନଭୂତିର ି ଭୋଟ ମଧ୍ୟ ତାଙ୍କୁ ମିଳିବ । ଅନ୍ୟ ପଟେ ଅସନ୍ତୁଷ୍ଟ ରବୀନ୍ଦ୍ରଙ୍କ ଗୋଷ୍ଠୀ ମଧ୍ୟ ଘାତକ ସାବ୍ୟସ୍ତ ହେବ ବିଜେଡି ପାଇଁ ।
ଏକେତ ରବୀନ୍ଦ୍ର ଜଣେ ଜମି ବ୍ୟବସାୟୀ । ଅମାପ ଅର୍ଥର ଅଧିକାରୀ । ତା ଉପରେ ପୁଣି ବିଜେଡିରେ ସାମିଲ ହେବା ପରେ ଜଣେ ଭଲ ସଂଗଠକ ହୋଇଛନ୍ତି । ମାତ୍ର କିଛି ମାସ ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ରବୀନ୍ଦ୍ର ୨୦୧୪ ନିର୍ବାଚନରେ ବିଜୟ ହାସଲ କରିଥିଲେ ଓ ସାଂସଦ ମଧ୍ୟ ହୋଇଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ମାତ ଦେଇଥିଲେ ବିଜେପିର ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହା ପରେ ଦଳରେ ରବୀନ୍ଦ୍ରଙ୍କ ଥାପ କମିଯାଇଥିଲା । ତାଙ୍କୁ ହାତରେ ରଖିବାକୁ ଶେଷରେ ବାଲେଶ୍ୱର ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିଲା । ରବୀନ୍ଦ୍ର ଦଳ ପାଇଁ କାମ କରୁଥିଲେ । କିନ୍ତୁ ଜୁନ ମାସରେ ମଦନମୋହନ ଦତ୍ତଙ୍କ ଅକାଳ ବିୟୋଗ ହେଲା । ସେହି ଆସନରୁ ଉପନିର୍ବାଚନର ଆବଶ୍ୟକତା ଆସିଲା । ଆଉ ରବୀନ୍ଦ୍ର ସେହି ଆସନରୁ ଠିଆ ହେବାକୁ ସଜବାଜ ଆରମ୍ଭ କଲେ । ନିଜ ବିଜୟକୁ ସୁନିଶ୍ଚିତ କରିବାକୁ ଜିଲ୍ଲାର ଦଳୀୟ ପ୍ରତିଦ୍ୱନ୍ଦୀଙ୍କ ସମର୍ଥକଙ୍କୁ ମଧ୍ୟ ନିଜ ପଟିଆ କରି ନେଇଛନ୍ତି । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ରବୀନ୍ଦ୍ର ଜଣେ ଟାଣୁଆ ନେତା ।
ଏହି ନିର୍ବାଚନରେ ସେ ସଦର ଆସନକୁ ଆଖେଇଥିବା ବେଳେ କିନ୍ତୁ ତାଙ୍କ ଉପରେ କୌଣସି ଏକ ଚାପ ପ୍ରୟୋଗ କରାଯାଇ ସେଥିରୁ ବାଦ କରି ଦିଆଗଲା । ବିଜେଡିର ଚିରାଚରିତ ଚଳଣି ଅନ୍ତର୍ଗତ ସେ ଗଣମାଧ୍ୟମକୁ ନିର୍ବାଚନ ଲଢିବାକୁ ଇଛାୟୀ ନ ଥିବା କହିଲେ । କିନ୍ତୁ ସେହି ଆସନ ନିଶା ସେମିତି ବଳବତ୍ତର ରହିଥିଲା । ସେହି ଆସନରୁ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ଠିଆ କରିବାକୁ ଚଳାଇଲେ ପ୍ରସ୍ତୁତି । ସମର୍ଥକ ମଧ୍ୟ ତୃଣମୂଳ ସ୍ତରରେ ସବୁ ସେଟ କଲେ । କିନ୍ତୁ ପ୍ରାର୍ଥୀ ଘୋଷଣା ବେଳକୁ ଜଳକା ରହିଗଲେ ରବୀନ୍ଦ୍ର । କୌଣସି ଚାପ କାରଣରୁ ନିଜ ଅସନ୍ତୋଷକୁ ପିଇ ଯାଇଥିଲେ ମଧ୍ୟ ଦଳୀୟ ସମର୍ଥକ, କର୍ମକର୍ତ୍ତାଙ୍କୁ ଟିହାଇଥିଲେ । ବିଜେଡି ବାଲେଶ୍ୱର ସଦର ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଗ୍ରହଣ କରି ପାରିନଥିଲେ ସୁବାସିନୀ ତଥା ରବୀନ୍ଦ୍ରଙ୍କ ସମର୍ଥକ । ଆରମ୍ଭ ହେଲା ବିରୋଧ ।
ଜିଲ୍ଲା ବିଜେଡି ସଭାପତିଙ୍କ ଅଫିସ ଆଗରେ ହୋହାଲ୍ଲା ବିରୋଧ କରାଗଲା । ଆଉ ସଭାପତି ନିଜେ ରବୀନ୍ଦ୍ର । କଥାରେ ଅଛି କରି କରାଉ ଥାଏ ମୁଁ ହିଁ… । ଗୋଟିଏ ପଟେ ସମର୍ଥକଙ୍କୁ ବିରୋଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଅନ୍ୟ ପଟେ ଦଳୀୟ ଉପରିସ୍ଥ ପଦାଧିକାରୀଙ୍କ ନିକଟରେ ନିଜକୁ ନିର୍ଦ୍ଦୋଷ ବୋଲି ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସେ ଯାହା ହେଉ ଏହି ଘଟଣା ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇ ଦେଇଛି । ଅନ୍ୟ ପଟେ ରବୀନ୍ଦ୍ର ତଥା ତାଙ୍କ ବିରାଟ ଅସନ୍ତୁଷ୍ଟ ସମର୍ଥକ ଏବେ ବିଜେଡି ପାଇଁ ଭୋଟ ମାଗିବେ କି ସ୍ୱରୂପଙ୍କ ଭୋଟ କାଟିବା କାମ କରିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏପରି ଅନେକ ଗୃହ ଭେଦି ବିଭିଷଣ ରହିଛନ୍ତି । ଏକାଧିକ ସ୍ଥାନରେ ଦଳୀୟ ଅସନ୍ତୁଷ୍ଟ ନେତା ସେଠାକର ପ୍ରାର୍ଥୀଙ୍କ ବିରୋଧରେ ଅପପ୍ରଚାର କରିବା ସହ ଭୋଟ କାଟ କରିବାରେ ବିରୋଧୀଙ୍କୁ ସାହାଯ୍ୟ କରିଛନ୍ତି । ତେଣୁ ବାଲେଶ୍ୱରରେ ମଧ୍ୟ ସମାନ ସ୍ଥିତି ହେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।
