ଭୁବନେଶ୍ୱର: କରୋନା ଗ୍ରାଫ ରାଜ୍ୟରେ କମୁଥିବାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ସମେତ ରାଜ୍ୟର ବହୁ ଧର୍ମାନୁଷ୍ଠାନ ଖୋଲିବା ପରେ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଶ୍ରାବଣ ମାସ ଥିବାରୁ ଭକ୍ତଙ୍କ ଜଳାଭିଷେକ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବିଳମ୍ବରେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ସେପ୍ଟେମ୍ବର ୧ରୁ ମନ୍ଦିର କୋଭିଡ ଗାଇଡଲାଇନ ମୁତାବକ ଖୋଲିବାକୁ ମନ୍ଦିର ବୋର୍ଡ କହିଛି ।
ମନ୍ଦିର ଖୋଲୁଥିଲେ ମଧ୍ୟ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ମନ୍ଦିର ଖୋଲିବା ନେଇ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ୟ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ ।
