ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ଗୃହରେ ହୋ ହାଲ୍ଲା ପାଇଁ ଚାଲିପାରିନଥିଲା ଗୃହକାର୍ଯ୍ୟ । ତେଣୁ ବାଚସ୍ପତି ୧୧ଟା ୩୦ ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ଓ ସର୍ବଦଳୀୟ ବୈଠକ ଡକାଇଥିଲେ । କିନ୍ତୁ ସର୍ବଦଳୀୟ ବୈଠକରେ ମଧ୍ୟ ବାହାରିଲାନି କିଛି ନିର୍ଯାସ । ପୁଣି ବିରୋଧୀଙ୍କ ନାରାବାଜି ଓ ହୋହାଲ୍ଲାକୁ ନେଇ ଦିନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।
ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା । ମରୁଡ଼ି ପରିସ୍ଥିତି ନେଇ କଂଗ୍ରେସ ସଦସ୍ୟଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଆଲୋଚନା ପାଇଁ ସରକାର ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି ଜଣାଇଦେଲେ। ବୁଧବାର ମରୁଡ଼ି ଆଲୋଚନାରେ ରାଜସ୍ବ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଅଡ଼ି ବସିଥିଲେ କଂଗ୍ରେସ ସଦସ୍ୟ । ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜେପି ସଦସ୍ୟ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ରହିଲେ । ଗୃହରେ ନାରାବାଜି ଓ ହଟ୍ଟଗୋଳ ଯୋଗୁଁ ପୁର୍ନବାର ଦିନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ କରାଗଲା।