ନୂଆଦିଲ୍ଲୀ: ଆଗକୁ ରହିଛି ପାର୍ବଣ । ଏହି ସମୟରେ ସାମାନ୍ୟ ଅସତର୍କତା ମହଙ୍ଗା ପଡିବ । ତେଣୁ ଅକ୍ଟୋବର ୩୧ ଯାଏ ଦେଶବ୍ୟାପୀ କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଦେଶରେ ସଂକ୍ରମଣ ହ୍ରାସ ପାଇଥିବ।। ବେଳେ କିନ୍ତୁ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ପାର୍ବଣ ସମୟରେ ସାମାନ୍ୟ ଢିଲା ପୁଣି ସଂକ୍ରମଣକୁ ବୃଦ୍ଧିକରିବା ସମ୍ଭାବନା ରହିଛି । ତେଣୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ କଟକଣାକୁ ବଢାଇ ଦିଆଯାଇଛି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ପାର୍ବଣ ଓ ଧାର୍ମିକ ମେଳା ମହୋତ୍ସବ ବେଳେ ଲୋକେ ଏକତ୍ରୀତ ହୋଇଥାନ୍ତି । ଏହି ଏକତ୍ରୀକରଣ ପୁଣି ସଂକ୍ରମଣର କାରଣ ହୋଇପାରେ । ତଣେୁ ସଂକ୍ରମଣ ରୋକିବାକୁ ଯତ୍ନବାନ ହେବା ସହ କଡା ପଦକ୍ଷେପ ନେବାକୁ ଭାଲ୍ଲା ପରାମର୍ଶ ଦେଇଛନ୍ତି । ପୂର୍ବଭଳି ଜିଲ୍ଲା ପ୍ରଶାସନମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ମେଡିକାଲରେ ଆଇସିୟୁ ବେଡ୍ ଅକ୍ୟୁପାନ୍ସି ପରଖୁଛନ୍ତି କି ନାହିଁ, ତାଉପରେ ବି ଧ୍ୟାନ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। କରୋନା ମୁକାବିଲାରେ ସବୁଠୁ ବଡ଼ ଅସ୍ତ୍ର କୁହାଯାଉଥିବା ପାଞ୍ଚ ସୂତ୍ରୀ ମନ୍ତ୍ର- ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।