ଭୁବନେଶ୍ୱର: ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୁଅନ୍ତୁ ଜନନେତା । ଦୂରଦୃଷ୍ଟି ଓ ଅଧ୍ୟବସ୍ୟାୟ ଫଳରେ ସେମାନେ ଲେଖିଥାନ୍ତି ଦେଶ ଓ ଜାତିର ଇତିହାସ । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ମହାଜନ ନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ହେଉଛି ୭ମ ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଭୁବନେଶ୍ୱର କଂଗ୍ରେସ ଭବନରେ ପାଳିତ ହୋଇଯାଇଛି ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳୀ ଉତ୍ସବ ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି କଂଗ୍ରେସ ଭବନ ପରିସରରେ ଜାନକୀ ବଲ୍ଲଭଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ସଂଘର୍ଷ ତଥା କର୍ତ୍ତବ୍ୟ ନିଷ୍ଠତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।ଏଥିସହ ଓଡ଼ିଆ ଜାତିର ଅଭିବୃଦ୍ଧି ତଥା ୧୯୭୭ ମସିହା ପରଠାରୁ କଂଗ୍ରେସ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି କଂଗ୍ରେସ ଭବନ ପରିସରରେ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।ସେ ପୁରୀ ଜିଲ୍ଲାର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।ତାଙ୍କ ପିତା ଗୋକୁଳାନନ୍ଦ ପଟ୍ଟନାୟକ ଜଣେ ଲେଖକ ତଥା ଶିକ୍ଷକ ଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଶୈଶବରୁ ହିଁ ଜାନକୀଙ୍କ ପ୍ରତିଭା ସାମ୍ନାକୁ ଆସିଥିଲା । ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏହାପରେ ସେ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଆସିଥିଲେ । ୧୯୬୭ ଜୁଲାଇରେ ସେ “ପୌରୁଷ’ ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ ।
୧୯୮୦ ଜୁନ ମାସ ଓଡ଼ିଶା ଇତିହାସ ପାଇଁ ଥିଲା ସବୁଠାରୁ ବଡ଼ ଦିନ । ସେହି ଦିନ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଶାସନ ଭାର ନିଜ କାନ୍ଧକୁ ନେଇଥିଲେ ଜାନକୀବଲ୍ଲଭ । ସେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ଼ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ୨୦୦୯ ଡିସେମ୍ବର ୧୧ ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ବହୁ ଦାୟିତ୍ୱ ସମ୍ଭାଳିଛନ୍ତି ।