୩୦ ହଜାର ଗୋରୁଙ୍କ ମୃତ୍ୟୁ
ରାଜସ୍ଥାନ: କରୋନା ସଂକ୍ରମଣ ପରେ ଦେଶରେ ଲମ୍ପି ସ୍କ୍ରିନ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଲମ୍ପି ସ୍କ୍ରିନ ଭୂତାଣୁ ଗାଈ ଗୋରୁଙ୍କୁ ସଂକ୍ରମିତ କରିବାରେ ଲାଗିଛି। ସଂପ୍ରତି ରାଜସ୍ଥାନର ୩୩ଟି ଜିଲ୍ଲା ମଧ୍ୟରୁ ୩୦ଟି ଜିଲ୍ଲାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିଛି। ଲମ୍ପି ସ୍କ୍ରିନ ସଂକ୍ରମଣ ଯୋଗୁ ରାଜସ୍ଥାନରେ ୩୦ ହଜାର ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଲକ୍ଷ ଗୋରୁ ସଂକ୍ରମିତ ହୋଇଥିବା ପଶୁ ସମ୍ପଦ ବିଭାଗ କହିଛି। ତେବେ ଗାଈ ଗୋରୁଙ୍କୁ ଲମ୍ପି ସ୍କ୍ରିନ ସଂକ୍ରମଣରୁ ରକ୍ଷା କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ତେବେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ୮ ଲକ୍ଷ ଗୋଟ ପକ୍ସ ଟିକାର ଖୋରାକ ମଗା ଯାଇଛି। ଏହାସହ ରାଜ୍ୟରେ ଥିବା ମୋଟ ୧.୩୯ କୋଟି ଗୃହପାଳିତ ପଶୁଙ୍କୁ ଏହି ଟିକା ଦେବା ପାଇଁ ରାଜ୍ୟ ସରକାର ୪୧ ଲକ୍ଷ ଟିକା କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ପଶୁସମ୍ପଦ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୟାନ ମୁତାବକ ସଂପ୍ରତି ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୩୦ଟି ଜିଲ୍ଲାରେ ପାଖାପାଖି ୭ ଲକ୍ଷ ଗୋରୁ ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ପଶୁ ସମ୍ପଦ ସଚିବ ପିସି କିଶନ କହିଛନ୍ତି ଯେ ସମ୍ପୃକ୍ତ ଭୂତାଣୁ ପ୍ରଥମେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଥିଲା। ତେବେ ଟିକାକରଣ ଓ ଚିକିତ୍ସା ସୁବିଧା କାରଣରୁ ସୀମା ପାଶ୍ୱର୍ବର୍ତ୍ତୀ ଜିଲ୍ଲାମାନଙ୍କରେ ଗାଈ ଗୋରୁଙ୍କ ମୃତ୍ୟୁ ହାର କମୁଥିବା ଶ୍ରୀ କିଶନ କହିଛନ୍ତି।
