ଓଡିଶା

୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ ୧୮୭ଟି ପ୍ରକଳ୍ପର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂତନ ଘୋଷଣା କରାଯାଇଛି। ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇଦେବା ପାଇଁ ୨୫ଟି ଅତ୍ୟାଧୁନିକ ଇ-ବସ ସହିତ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଆମ ବସ’ ଡିପୋର ଲୋକାର୍ପଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୭୦୫ କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହା ବ୍ୟତୀତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଉ ୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି, ଯାହା କେନ୍ଦୁଝରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ।

ଏହି ନୂତନ ଇ-ବସ ସେବାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସୁଲଭ ଭଡା। ମାତ୍ର ୫ ଟଙ୍କାରୁ ବସ ଭଡା ଆରମ୍ଭ ହେଉଥିବାରୁ ଏହା ଦୈନନ୍ଦିନ ଯାତ୍ରା କରୁଥିବା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବେଶ୍ ସହାୟକ ହେବ। ସମସ୍ତ ବସ ସମ୍ପୂର୍ଣ୍ଣ ଭାବେ ଏସି (AC) ହୋଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଏଥିରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରତିଟି ବସ୍ରେ ସିସିଟିଭି କ୍ୟାମେରା, ପ୍ୟାନିକ୍ ବଟନ ଏବଂ ଜିପିଏସ (GPS) ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଯାତ୍ରୀମାନେ ବିଶେଷ କରି ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ।

​କେବଳ ପରିବହନ ନୁହେଁ, ବରଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଗାଇଡ୍ ଏବଂ ୨ ଜଣ ମହିଳା ଡ୍ରାଇଭର ସାମିଲ ଅଛନ୍ତି। ମହିଳାମାନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବା ରାଜ୍ୟ ସରକାରଙ୍କ ‘ମହିଳା ଶକ୍ତି’ ଅଭିଯାନକୁ ଆହୁରି ସୁଦୃଢ଼ କରିଛି। ସାମଗ୍ରିକ ଭାବେ, ଏହି ଇ-ବସ ସେବା ସହରୀ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।

କେନ୍ଦୁଝରବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ରାଜ୍ୟକୁ ଅନେକ କିଛି ଦେଇଛି, କିନ୍ତୁ ବିଗତ ଦିନରେ ଏହି ଜିଲ୍ଲା ଅବହେଳିତ ହୋଇ ରହିଥିଲା। ସେ ସ୍ପଷ୍ଟ କରିଛନ୍ତି ଯେ ଆମ ସରକାର ଆସିବା ପରେ କେନ୍ଦୁଝରର ବିକାଶ ତ୍ୱରାନ୍ୱିତ ହୋଇଛି। ଜିଲ୍ଲାରେ ଏକ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଏହାର ଶିଳାନ୍ୟାସ କରାଯାଇ କେନ୍ଦୁଝରକୁ ଦେଶର ଏକ ଶ୍ରେଷ୍ଠ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳାଯିବ।

ଏହି ବିଶାଳ ପଦକ୍ଷେପ ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ​ଏହି ପ୍ରକଳ୍ପର ଅନ୍ୟତମ ବିଶେଷତ୍ୱ ହେଉଛି ନାରୀ ଶକ୍ତିର ସହଭାଗିତା। ଏହି ବସ୍ ସେବାରେ ମହିଳାମାନେ ସାରଥୀ (ଡ୍ରାଇଭର) ଏବଂ ଗାଇଡ୍ ଭାବେ ନିଯୁକ୍ତି ପାଇ ନିଜର ଦକ୍ଷତା ପ୍ରତିପାଦନ କରିବେ। ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ ମୂଲ୍ୟ ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ପାଇଁ ବେଶ ସହାୟକ ହେବ। ପରିବେଶ ଦୃଷ୍ଟିକୋଣରୁ ଏହି ଇ-ବସ୍ ସେବା ବାର୍ଷିକ ପ୍ରାୟ ୩୩୦ ରୁ ୩୯୦ ଟନ୍ କାର୍ବନ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଏହି ସେବାକୁ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସମ୍ପ୍ରସାରିତ କରାଯିବ ଏବଂ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୨୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ “ଗ୍ରୀନ୍ ମୋବିଲିଟି” କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା କରିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତା ୧୦ ବର୍ଷ ହେଉଛି ଓଡ଼ିଶା ପାଇଁ ସଂକଳ୍ପର ଦଶକ। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ କେନ୍ଦୁଝରର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ୬ ଜଣ ହିତାଧିକାରୀଙ୍କୁ ମୋଟ ୫,୭୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିରେ କେନ୍ଦୁଝରର ହେମନ୍ତ ମହାନ୍ତଙ୍କୁ ବିବାହ ସହାୟତା ବାବଦରେ ୫୦,୦୦୦ ଟଙ୍କା ଏବଂ ଲବଙ୍ଗ ମହାନ୍ତଙ୍କୁ ମୃତ୍ୟୁକାଳୀନ ସହାୟତା ଭାବେ ୩,୦୫,୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ସେହିପରି ‘ଉଦ୍ୟମୀ’ ଯୋଜନାରେ ଚମ୍ପୁଆର ମା’ ମଙ୍ଗଳା ଏସଏଚଜି, ଯୋଡ଼ାର ବନିତା ନାଏକ ଏବଂ ଝୁମ୍ପୁରାର କେଦାର ଚନ୍ଦ୍ର ନାଏକଙ୍କୁ ୬୦,୦୦୦ ଟଙ୍କା ଲେଖାଏଁ ଏବଂ ନୀଲମ ମହାକୁଡ଼ଙ୍କୁ ୪୦,୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି। ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡକ୍ଟର ଫକୀର ମୋହନ ନାଏକ, ସାଂସଦ ଶ୍ରୀ ଅନନ୍ତ ନାଏକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା  ଶ୍ରୀମତୀ ମମିତା ନାଏକ ଏବଂ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Related posts

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

mahabharatanews

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଠକେଇ

mahabharatanews