(ବୁଗୁଡ଼ା) : ଆଜି ସୋମବାର ହେତୁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସକାଳୁ ସକାଳୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବାହାରିଥିବା କାଉଡ଼ିଆଙ୍କ ଉପରେ ମାଡ଼ି ଯାଇଛି କାର । ଫଳରେ ୨ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୫ ଆହତ ହୋଇଛନ୍ତି । ସେମାନେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁଯାୟୀ , ଗଞ୍ଜାମ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣି ଭାର ଧରି ଯାଉଥିବା ବେଳେ ପଛପଟୁ କାଉଡ଼ିଆଙ୍କ ଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଅନିତା ଜେନା ଓ ମୁକୁନା ବେହେରା । ଅନିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏମକେସିଜିରେ ମୁକୁନାଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଘର ଅରଖପୁର ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
