ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ଦଶହରା ଅବସରରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି କରାଯାଏ ।ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବିଡାରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହେବ । ଏହାପରେ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ ।
ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୂପାଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡକୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିବେ।