(ଭୁବନେଶ୍ୱର) : ଭାରତ ନିର୍ବାଚନ ଆୟୋଗଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ । ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ ।
ସୂଚନାନୁଯାୟୀ , ମୁଖ୍ୟ ନିର୍ବାଚନ କମିସନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ । ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟ ନିର୍ବାଚନ କମିସନର ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ କୁମାର ସ୍ୱୀକୃତିପ୍ରାପ୍ତ ଜାତୀୟ, ରାଜ୍ୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେପରି ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇପାରିବ, ସେଥି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ନିର୍ବାଚନ କମିସନର ବୈଠକରେ ପ୍ରକାଶ କରିଥିଲେ ।
