ତାମିଲନାଡୁରେ ଟିଭିକେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କେନ୍ଦ୍ର ସରକାରଙ୍କୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଫୋର୍ଟ ସେଣ୍ଟ ଜର୍ଜରେ ପତାକା ଉତ୍ତୋଳନ ପରେ ନିଜ ପ୍ରଥମ ଭାଷଣରେ ସେ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଟିଭିକେ ସରକାର ସହଯୋଗ କରିବ। ତେବେ ତାମିଲନାଡୁର ଅଧିକାର କ୍ଷୁଣ୍ଣ କରୁଥିବା କୌଣସି ନୀତିକୁ ସମର୍ଥନ କରାଯିବ ନାହିଁ।
ବିଜୟ କହିଛନ୍ତି, ଦୁର୍ନୀତି ଦୂର କରିବା ହିଁ ପ୍ରକୃତ ସ୍ୱାଧୀନତା। ତାଙ୍କ ସରକାର ଦୁର୍ନୀତି, ଲାଞ୍ଚ ଓ ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବ। ମହିଳା ସୁରକ୍ଷା, ସାମାଜିକ ନ୍ୟାୟ, ସମାନତା ଓ ସ୍ୱଚ୍ଛତାକୁ ମଧ୍ୟ ସରକାର ପ୍ରାଥମିକତା ଦେବ। ଟିଭିକେ ସରକାର ବିରୋଧରେ ଯେକୌଣସି ଷଡଯନ୍ତ୍ରକୁ ପଣ୍ଡ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସ୍ୱାଧୀନତା ଦିବସରେ ବିଜୟ କିଛି ଲୋକକଲ୍ୟାଣମୂଳକ ଘୋଷଣା ମଧ୍ୟ କରିଛନ୍ତି। ସିଏନ୍ ଅନ୍ନାଦୁରାଇଙ୍କ ଜୟନ୍ତୀରୁ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ନବଜାତ ଶିଶୁଙ୍କ ପାଇଁ ସୁନା ମୁଦି ଯୋଜନା ଆରମ୍ଭ ହେବ। ଏଥିପାଇଁ ୭୫୫.୮୩ କୋଟି ଟଙ୍କା ବ୍ୟୟ ହେବ। ଆମ୍ମା କ୍ୟାଣ୍ଟିନ୍ ଓ ସ୍କୁଲ୍ ପିଲାଙ୍କ ଜଳଖିଆ ଯୋଜନା ଭଳି ପୂର୍ବ ସରକାରଙ୍କ କଲ୍ୟାଣକାରୀ ଯୋଜନା ଜାରି ରହିବ ଏବଂ ଏହାକୁ ଆହୁରି ସୁଦୃଢ଼ କରାଯିବ।
ଏହାସହ ପୂର୍ବତନ ସୈନିକ ଅଧିକାରୀଙ୍କ ଝିଅଙ୍କ ବିବାହ ପାଇଁ ମିଳୁଥିବା ସହାୟତା ରାଶି ୨୫ ହଜାରରୁ ବଢ଼ାଇ ୫୦ ହଜାର ଟଙ୍କା କରାଯିବ। ଦୁଇଜଣ ଝିଅ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏକ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ଲୋକକଲ୍ୟାଣମୂଳକ ସରକାର ଗଠନ ହିଁ ଟିଭିକେର ମୁଖ୍ୟ ଲକ୍ଷ୍ୟ ବୋଲି ବିଜୟ ସ୍ପଷ୍ଟ କରିଛନ୍ତି।
