ଭାରତଶିକ୍ଷା

ପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପର

ନୂଆଦିଲ୍ଲୀ: ନିଟ୍-ୟୁଜି-୨୦୨୪ର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ନିଟ୍-ୟୁଜି ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି। ନୂଆ ତାଲିକାରେ ଏବେ ୧୭ ଜଣ ଟପର୍ ଥିବା ବେଳେ ଏହା ପୂର୍ବରୁ ୬୧ ଜଣ ଟପ୍ପର ଥିଲେ। ଏହି ୧୭ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ (୭୨୦ ରୁ ୭୨୦) ନମ୍ବର ରଖିଛନ୍ତି। ଏହା ସହିତ ଦୁଇରୁ ଅଢ଼େଇ ହଜାର ରାଙ୍କରେ ଅଦଳବଦଳ ହୋଇଛି। ଏହି ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, କୋର୍ଟଙ୍କ ଏହି ରାୟ ଦ୍ୱାରା ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ୧୭ ଜଣ ଟପ୍ପର ତାଲିକାରେ ଦିଲ୍ଲୀର ବାସିନ୍ଦା ମୃଦୁଲ ମାନ୍ୟତା ଆନନ୍ଦ ପ୍ରଥମ ସ୍ଥାନରେ ରହିଛନ୍ତି। ଦିଲ୍ଲୀରୁ ୨, ଉତ୍ତରପ୍ରଦେଶରୁ ୨, ବିହାରର ୧, ପଞ୍ଜାବର ୧, ପଶ୍ଚିମବଙ୍ଗର ୧, ମହାରାଷ୍ଟ୍ରର ୩, ତାମିଲନାଡୁରୁ ୧, କେରଳର ୧ ଏବଂ ଚଣ୍ଡିଗଡ଼ର ଜଣେ ଟପ୍ପର ରହିଛନ୍ତି। ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପରେ ସର୍ବନିମ୍ନ ଯୋଗ୍ୟତା କଟ୍ ଅଫ୍ ମଧ୍ୟ ହ୍ରାସ ପାଇଛି। ପୂର୍ବରୁ ଅଣ ସଂରକ୍ଷିତ ବର୍ଗ ପାଇଁ ଏହା ୧୬୪ ଥିଲା। ଏବେ ୨ ପଏଣ୍ଟ ୧୬୨କୁ ଖସି ଆସିଛି। ଓବିସିଙ୍କ ପାଇଁ ଏହା ୧୬୩ ଥିବା ବେଳେ ଏବେ ତାହା ୧୬୧ରେ ପହଞ୍ଚିଛି। ଏସସି ଓ ଏସଟି ବର୍ଗ ପାଇଁ ଏହା ୧୨୯ରୁ ୧୨୭କୁ ଖସି ଆସିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏନଟିଏ ୱେବସାଇଟ exams.nta.ac.in/NEETକୁ ଯାଇ ମେରିଟ୍ ଲିଷ୍ଟ ଓ ଟପ୍ପରଙ୍କ ତାଲିକା ଦେଖିପାରିବେ। ପୂର୍ବରୁ ସର୍ବ ଭାରତୀୟ ରାଙ୍କ-୧ରେ ୬୭ ଜଣ ଛାତ୍ରଛାତ୍ରୀ ରହିଥିଲେ। ସେଥିମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନରେ ତ୍ରୁଟି ଯୋଗୁଁ ସମୟ ନଷ୍ଟ ହୋଇଥିବାରୁ ଅତିରିକ୍ତ ମାର୍କ ଦିଆଯାଇଥିବା ବେଳେ ଭୁଲ୍ ପଦାର୍ଥ ବିଜ୍ଞାନ ପ୍ରଶ୍ନ ପାଇଁ ୪୪ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରାଯାଇଥିଲା।

Related posts

ଜୁଲାଇ ୨୯ରେ  ମାଟ୍ରିକ ପରୀକ୍ଷା ଫଳ ବାହାରିବ

mahabharatanews

ସେମି କ୍ରାୟୋଜେନିକ୍ ରକେଟ୍ ଅଗ୍ନିବାଣର ସଫଳ ପରୀକ୍ଷଣ

mahabharatanews

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା AQI

mahabharatanews