ଢ଼ାକା : ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ଇସ୍ତଫା ଦେଇ ଦେଶ ଛାଡିବା ପରେ ବାଂଲାଦେଶରେ ହିଂସା ଏବଂ ଅରାଜକତା ଜାରି ରହିଛି। ଏହାରି ମଧ୍ୟରେ ବିକ୍ଷୋଭକାରୀମାନେ ବଙ୍ଗଳାଦେଶର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମଶରଫେ ମୁରତଜାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆୱାମୀ ଲିଗ୍ ପ୍ରାର୍ଥୀ ଭାବରେ ଖୁଲନା ବିଭାଗର ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ଜିତିଥିଲେ ମୁରତଜା।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶେଖ ହସିନା ଦେଶ ଛାଡିବା ପରେ ବିକ୍ଷୋଭକାରୀମାନେ ମୁରତଜାଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ।ମୁରତଜା ତାଙ୍କର ଦୀର୍ଘ କ୍ରିକେଟ୍ କ୍ୟାରିୟରରେ ୩୬ ଟି ଟେଷ୍ଟ, ୨୨୦ ଟି ଙଊଓ ଏବଂ ୫୪ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୯୦ ୱିକେଟ୍ ଓ ୨,୯୫୫ ରନ୍ ସ୍କୋର କରିଥିଲେ। ସେ ସମସ୍ତ ଫର୍ମାଟରେ ୧୧୭ ଟି ମ୍ୟାଚରେ ବାଂଲାଦେଶର ନେତୃତ୍ୱ ନେଇଛନ୍ତି, ଯାହା ତାଙ୍କ ଦେଶ ପାଇଁ ସର୍ବୋଚ୍ଚ ଅଟେ ।
କ୍ରିକେଟ୍ ଛାଡିବା ପରେ ସେ ୨୦୧୮ ରେ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ନାରାୟଲ -୨ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ବାଂଲାଦେଶର ଅଗ୍ରଣୀ ଦୈନିକ ଖବରକାଗଜ ‘ଢ଼ାକା ଟ୍ରିବ୍ୟୁନ୍’ ରିପୋର୍ଟ ଅନୁସାରେ ବିକ୍ଷୋଭକାରୀମାନେ ଜିଲ୍ଲା ଆୱାମୀ ଲିଗ୍ କାର୍ଯ୍ୟାଳୟରେ ନିଆଁ ଲଗାଇ ଏହାର ସଭାପତିଙ୍କ ଘର ଭଙ୍ଗାରୁଜା କରିଛନ୍ତି ।
ବାଂଲାଦେଶ ହିଂସାର କାରଣ
ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି। ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ।
ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଏହି ଆନ୍ଦୋଳନ ବାଂଲାଦେଶରେ ଏକ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି। ଅଭିନେତା, ସଂଗୀତଜ୍ଞ ଏବଂ ଗାୟକଙ୍କ ସମେତ ସବୁ ସ୍ତରର ଲୋକେ ଏହାକୁ ସମର୍ଥନ କରୁଛନ୍ତି। ଲୋକଙ୍କ ସମର୍ଥନ ପାଇଁ ଆହ୍ୱାନ କରୁଥିବା ଗୀତଗୁଡିକ ସୋଶାଲ ମିଡିଆରେ ବେଶ୍ ଆଦୃତ ହେଉଛି, ଯେଉଁଥିରେ ବାଂଲାଦେଶବାସୀ ମଧ୍ୟ ଆନ୍ଦୋଳକାରୀଙ୍କ ସମର୍ଥନରେ ଥିବା ସ୍ପଷ୍ଟ ହେଉଛି।
