ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ଆପତ୍ତିଜନକ ରିଲ୍ ପୋଷ୍ଟ କରିବା ଜଣେ ମହିଳାଙ୍କୁ ପଡ଼ିଛି ମହଙ୍ଗା ।ସୋସି ଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟରଙ୍କୁ ଗୁଜରାଟ ପୁଲିସ୍ ଗିରଫ କରିଛି। ଉକ୍ତ ମହିଳା ଜଣଙ୍କ ପବିତ୍ର ଗାନ୍ଧି ଜୟନ୍ତୀ ଗୋଟିଏ ଦିନ ପୂର୍ବରୁ ୫୦୦ ଟଙ୍କିଆ ନୋଟ୍ ଧରି ଏହାକୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ପ୍ରଦର୍ଶନ କରିଥିଲେ। ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ମହିଳା ଜଣଙ୍କ ଏପରି କରିଥିବା ଅଭିଯୋଗ ହୋଇଥିଲା।

ଏଥିପାଇଁ ସୁରଟ ପୁଲିସ ୪୭ ବର୍ଷୀୟ ସିମରନ ପଟେଲଙ୍କୁ ଗିରଫ କରିଛି। ସେ ଅଦାଜନ ଅଞ୍ଚଳରେ ରୁହନ୍ତି ଓ ଗାନ୍ଧି ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୧ ତାରିଖ ଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସେ ଏହି ଭିଡିଓକୁ ପୋଷ୍ଟ କରିଥିଲେ।ତାଙ୍କୁ ଗିରଫ କରାଯାଇଥିବା ନେଇ ସୁରଟ ପୁଲିସ ଏକ୍ସରେ ଗୋଟିଏ ପୋଷ୍ଟ କରିଛି।ପୁଲିସର କହିବା କଥା ଯେ ସିମରନ ପୋଷ୍ଟ କରିଥିବା ଭିଡିଓରେ ଆପତ୍ତିଜନକ ବିଷୟବସ୍ତୁ ରହିଥିଲା। ସେହିପରି ସେ ମହାତ୍ମା ଗାନ୍ଧିଙ୍କ ଛବି ଥିବା ନୋଟ ସହ ଆପତ୍ତିଜନକ ଇଙ୍ଗିତ ମଧ୍ୟ କରିଥିଲେ। ସିମରନଙ୍କ ରିଲ୍ ଭାଇରାଲ ହେବା ପରେ ଧର୍ମେଶ ଗାମି ନାମକ ଜଣେ ସାମାଜିକ କର୍ମୀ ପ୍ରଥମେ ସୁରଟ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ।

