ଓଡିଶା

ଭଲିବଲ ଖେଳକୁ ନେଇ ଦୁଇ ଛାତ୍ରାବାସର ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା

ବୁଧବାର ବିଳମ୍ବିତ ରାତିରେ ବିଜେବି କଲେଜରେ ଦୁଇ ଛାତ୍ରାବାସର ଅନ୍ତେବାସୀ ମୁହାଁମୁହିଁ ହେବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ଭଲିବଲ୍ ଖେଳ ବେଳେ ହୋଇଥିବା ବଚସାକୁ ନେଇ ରାତିରେ ଜଣେ ଛାତ୍ରଙ୍କୁ ଅପରପକ୍ଷର କିଛି ଛାତ୍ର ମାଡ଼ ମାରିବାକୁ ନେଇ ଏହି ଗଣ୍ଡଗୋଳ ଘଟିଥିଲା। ଗଣ୍ଡ‌ଗୋଳ ବଢ଼ିବା ପୂର୍ବରୁ ଛାତ୍ରାବାସ ପରିଚାଳକ ବଡ଼ଗଡ଼ ଥାନା ପୁଲିସର ସହାୟତା ନେବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସନ୍ଧ୍ୟାରେ ଜେନେରାଲ୍‌ ଛାତ୍ରାବାସର ଅନ୍ତେବାସୀମାନେ ଭଲିବଲ୍ ଖେଳୁଥିଲେ। ବଲ୍‌ଟି ନେଟ୍‌ରୁ ଛିଟିକି ଯାଇ ଆମ୍ବେଦକର୍‌ ଛାତ୍ରାବାସର ଜଣେ ଛାତ୍ରଙ୍କ ଦେହରେ ବାଜିଥିଲା। ଏହାକୁ ନେଇ ସେଠାରେ ବଚସା ହୋଇଥିଲା। ଭଲି ଖେଳୁଥିବା ଛାତ୍ରମାନେ ଆମ୍ବେଦକର ଛାତ୍ରାବାସର ଅନ୍ତେବାସୀଙ୍କୁ ବିଭିନ୍ନ ଧମକଚମକ ଦେଇ ଘଉଡ଼ାଇ ଦେଇଥିଲେ। ଉକ୍ତ ଛାତ୍ରଜଣକ ସେଠାରୁ ଫେରି ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଏହା ଜଣାଇବା ପରେ ସେମାନେ ପ୍ରତିଶୋଧ ନେବାକୁ ଛକି ରହିଥିଲେ। ରାତ୍ରିଭୋଜନ ସରିବା ପରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଭଲିବଲ୍ ଖେଳପଡ଼ିଆରେ ଯେଉଁ ଛାତ୍ର ଧମକ ଦେଇଥିଲେ, ତାଙ୍କୁ ଆମ୍ବେଦକର୍‌ ଛାତ୍ରାବାସର ଅନ୍ତେବାସୀମାନେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ଖବର ଜେନେରାଲ୍‌ ଛାତ୍ରାବାସରେ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଜେନେରାଲ୍ ଛାତ୍ରାବାସର ଅନ୍ତେବାସୀମାନେ ଏକାଠି ହୋଇ ଆମ୍ବେଦକର ଛାତ୍ରାବାସ ଆଡ଼କୁ ମୁହାଁଇଥିଲେ। ପ୍ରସ୍ତୁତ ହୋଇ ରହିଥିବା ଆମ୍ବେଦକର ଛାତ୍ରାବାସର ଅନ୍ତେବାସୀମାନେ ଲାଠି ଧରି ପ୍ରତିପକ୍ଷକୁ ମୁକାବିଲା କରିବାକୁ ବାହାରି ପଡ଼ିଥିଲେ। କିନ୍ତୁ ସେତେବେଳକୁ ଛାତ୍ରାବାସ ପରିଚାଳକ ବଡ଼ଗଡ଼ ଥାନାକୁ ଫୋନ୍‌ କରି ସାରିଥିଲେ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପୂର୍ବରୁ ପୁଲିସ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପହଞ୍ଚି ଯାଇଥିଲା। ଫଳରେ ବଡ଼ଧରଣର ଗଣ୍ଡଗୋଳକୁ ରୋକାଯାଇ ପାରିଥିଲା ।

Related posts

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews

 ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା,ଗଲାଣି ୩୪ ଜୀବନ 

mahabharatanews

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

mahabharatanews