ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସମୟ ଯେତିକି ଗଡ଼ୁଛି ଉତ୍କଣ୍ଠା ସେତିକି ବଢୁଛି । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ମହାମୁକାବିଲା ପୂର୍ବରୁ ସୋମବାର ବାରବାଟୀରେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ପିଚ୍କୁ ଭଲ ଭାବେ ପରଖିଛନ୍ତି ଦୁଇ ଦେଶର ଖେଳାଳି । ନେଟ୍ସରେ ଉଭୟ ଦେଶର ଖେଳାଳିଙ୍କ ପରିଶ୍ରମ ଯେପରି ଥିଲା ତାକୁ ଦେଖି ଅନୁମାନ କରାଯାଉଛି ଆଜି ମହାଲଢେଇ ହେବ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ।
ତବେ ମ୍ୟାଚ୍ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାର ଯୋଜନା ରହିଛି। ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ୧୦ବର୍ଷ ତଳର ସେହି ତିକ୍ତ ଅନୁଭୂତି ଏବେ ପୁଣି ମନେ ପଡ଼ିଯାଇଛି। ସମାନ୍ ଟିମ୍ ଆଜି ସମାନ ସ୍ଥାନରେ ମୁହାଁମୁହିଁ ହେବେ। ୧୦ବର୍ଷ ତଳେ ଯାହା ସବୁ ଘଟିଥିଲା, ତାହା ପୂରା ଟିମ୍ର ଅନୁଭୂତିକୁ ତିକ୍ତ କରି ଦେଇଥିଲା। ଆଜି ପୁଣି ୧୦ବର୍ଷ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ସାମ୍ନାସାମ୍ନୀ ହେବେ। ଏହି ମୁକାବିଲା ଖେଳାଳିଙ୍କ ୧୦ବର୍ଷ ତଳର ସେହି ତିକ୍ତ ଅନୁଭୂତିକୁ ମଧୁର କରିବ ବୋଲି ଆଶା ରଖିଛନ୍ତି ଆୟୋଜକ।
