ସପ୍ତାହନ୍ତରେ ଖୋଲା ରହିବ ବିଡିଏ ଅଧୀନରେ ରହିଥିବା ସମସ୍ତ ପାର୍କ । ଆସନ୍ତା ୧୩ ତାରିଖ ଠାରୁ ଶନିବାର ଓ ରବିବାର ଦିନ ବିନା ବିରତିରେ ପାର୍କଗୁଡିକ ଖୋଲା ରହିବା ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଘୋଷଣା କରିଛି। ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ଦିନ ସାରା ସମସ୍ତ ପାର୍କ ଖୋଲା ରଖିବାକୁ ବିଡିଏ ନିଷ୍ପତ୍ତି ନେଇଛି । ସାଧାରଣତଃ ପାର୍କ ଗୁଡିକ ଅପରାହ୍ନରେ ବନ୍ଦ କରାଯାଇଥାଏ କିନ୍ତୁ ୧୩ ତାରିଖ ଠାରୁ ତାହା ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫:୦୦ ରୁ ରାତି ୮: ୩୦ ପର୍ଯ୍ୟନ୍ତ ଖୋଲା ରହିବ, ଯାହା ଦ୍ଵାରା ଯେଉଁମାନେ ସପ୍ତାହାନ୍ତ (ଶନିବାର ଓ ରବିବାର) ବାହାରେ ବିତାଇବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ନିରବଚ୍ଛିନ୍ନ ପ୍ରବେଶ କରି ପାରିବେ। ଏହି ପରିବର୍ତ୍ତନ ଚିତ୍ତବିନୋଦନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା, ଜନସାଧାରଣଙ୍କ ସୁବିଧାକୁ ଉନ୍ନତ କରିବା ଏବଂ ନାଗରିକମାନଙ୍କୁ ସହରର ସବୁଜ ପ୍ରାକୃତିକ ସ୍ଥାନଗୁଡ଼ିକୁ ବିଶ୍ରାମ, ଫିଟନେସ୍ ଏବଂ ସମାବେଶ ପାଇଁ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ତ୍ତୃପକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ପାର୍କ ସପ୍ତାହର ସବୁ ଦିନ ସକାଳ ୫ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ ପାର୍କଗୁଡ଼ିକ ପାଇଁ, ସପ୍ତାହର ସମୟ ପୂର୍ବ ପରି ସକାଳ ୫ଟାରୁ ସକାଳ ୧୧ଟା ୩୦ ଏବଂ ପୁଣି ଅପରାହ୍ନ ୩ଟା ୩୦ ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଖୁବ୍ ଶୀଘ୍ର ନୂତନ କାର୍ଯ୍ୟସୂଚୀ ସମୟ ବୋର୍ଡରେ ପ୍ରଦର୍ଶିତ ହେବ।

