ଦୀପାବଳି ପାଳନ ପାଇଁ ଛତିଶଗଡ଼ର ବସ୍ତରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କରନପୁରସ୍ଥିତ CRPF କ୍ୟାମ୍ପରେ ପହଞ୍ଚି ସୁରକ୍ଷାବଳର ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଯବାନଙ୍କ ସହ ଦୀପାବଳି ପାଳନ କରିବା ନେଇ ସୂଚନା ଦେଇଥିଲେ ମୋଦୀ। ତାଙ୍କ ଛତିଶଗଡ଼ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଆଭାର ପ୍ରକାଶ କରିଛନ୍ତି।

ଯବାନମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆପଣମାନେ ଏହି ପ୍ରଧାନସେବକଙ୍କୁ ମା’ ଭାରତୀଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି। ୨୦୧୪ ପରେ ପରିସ୍ଥିତି ବଦଳିବା ଆରମ୍ଭ ହୋଇଛି। ନକ୍ସଲବାଦକୁ ଶେଷ କରିବାର ଲକ୍ଷ୍ୟ ରଖିଥିଲୁ। ଏହି ବିଜୟ ଆପଣମାନଙ୍କ ସାହସ ଓ ବୀର ଯବାନଙ୍କ ବିଜୟ। କଠିନ ପରିସ୍ଥିତିରେ ମଧ୍ୟ ସୁରକ୍ଷାବଳ ଓ ପୋଲିସ ଯବାନମାନେ ନିଜ କର୍ତ୍ତବ୍ୟରେ ଅଟଳ ରହିଥିଲେ। ଏହା କର୍ତ୍ତବ୍ୟର ବିଜୟ ବୋଲି କହିଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ବାମପନ୍ଥୀ ଓ ମାଓବାଦୀଙ୍କୁ ସମର୍ଥନ ମିଳୁଥିଲା। ନକ୍ସଲବାଦର ମୂଳପୋଛ ପାଇଁ ସୁରକ୍ଷାବଳର ଯବାନମାନଙ୍କୁ ଆବଶ୍ୟକ ନିଷ୍ପତ୍ତି ନେବାର ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା। ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିଥିଲା। ବିନା ପ୍ରଚାର ଓ ଦେଖାଣିଆ କାର୍ଯ୍ୟରେ ମାଓବାଦର ମେରୁଦଣ୍ଡ ଭାଙ୍ଗିଛୁ ବୋଲି କହିଛନ୍ତି ମୋଦୀ।
ବିଶ୍ୱବ୍ୟାଙ୍କର ରିପୋର୍ଟକୁ ଉଦ୍ଧୃତ କରି ମୋଦୀ କହିଛନ୍ତି, ୫୦ କୋଟି ଲୋକ ଭୟଙ୍କର ଦାରିଦ୍ର୍ୟରୁ ବାହାରିଛନ୍ତି। ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବଙ୍କୁ ସଶକ୍ତ କରାଯାଇଛି। ପିଏମ୍ ଆବାସ ଯୋଜନାରେ କୋଟି କୋଟି ପରିବାରକୁ ଘର ମିଳିଛି। ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ଓ ମାଗଣା ରାସନ ଯୋଗାଇ ଦିଆଯାଉଛି।
ମୋଦୀ କହିଛନ୍ତି, ପ୍ରତ୍ୟେକ ଯବାନ ମୋ ପରିବାରର ସଦସ୍ୟ। ବସ୍ତରରେ ନକ୍ସଲ ଆତଙ୍କ ଶେଷ ହେବା ସହ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ନକ୍ସଲବାଦର ଅନ୍ତ ସହ ଅଞ୍ଚଳର ଗାଁଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି। ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ମଧ୍ୟ ନୂଆ ଜୀବନ ଆରମ୍ଭ କରିବାର ସୁଯୋଗ ଦିଆଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ଛତିଶଗଡ଼ ବିଜେପିର ବରିଷ୍ଠ ନେତା ଓ ଅଧିକାରୀମାନଙ୍କୁ ମଧ୍ୟ ପୂର୍ବରୁ ସୂଚନା ନଥିଲା। ସୋସିଆଲ ମିଡିଆରେ ପୋଷ୍ଟ ପରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମୋଦୀଙ୍କ ଗସ୍ତକୁ ସ୍ୱାଗତ କରିଥିଲେ।
