(ମହାଭାସରତ, ଭଦ୍ରକ): ଲାଞ୍ଚ ନେଦେଲେ କଲେଜ ଛାତ୍ରୀମାନଙ୍କୁ ମିଳୁଛି ନିର୍ଯାତନା । କଲେଜ କର୍ମଚାରୀମାନେ ବାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । କଲେଜ ଅଧ୍ୟକ୍ଷ ସବୁ ଜାଣି ଚୁପ୍ ରହୁଛନ୍ତି । ଫଳରେ ଛାତ୍ରୀମାନେ କଲେଜ ଯିବାକୁ ଭୟ କଲେଣି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଏନଏମଏ କଲେଜରେ ଯୁକ୍ତ ୩ ପଢୁଥିବା ଛାତ୍ରୀମାନେ ଏଭଳି ସାଂଘାତିକ ଅଭିଯୋଗ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ନାଁ ଲେଖାଇବା ବେଳେ ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀମାନେ ସେମାନଙ୍କୁ ହଇରାଣ କରୁଛନ୍ତି । ବାଟରେ ଦେଖିଲେ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଛନ୍ତି । କିଛି ଦିନ ତଳେ ପ୍ରଥମ ସେମିଷ୍ଟର ପରୀକ୍ଷା ବେଳେ ଆଡମିଟ୍ କାର୍ଡ ଦେବାରେ ହଇରାଣ କରିଥିଲେ । ତେବେ କଲେଜ କର୍ମଚାରୀମାନେ ଅସଦାରଣ କରୁଥିବା ବେଳର ଭିଡିଓ ରେକର୍ଡିଂ କରି କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ କର୍ମଚାରୀମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କୁ ଅସଦାଚରଣ କରିଥିଲେ । ଏପରିକି ଅଭିଯୋଗ କରିଥିବା ଛାତ୍ରୀମାନଙ୍କୁ କଲେଜରୁ ବାହାର କରିଦେବାକୁ ଉକ୍ତ କର୍ମଚାରୀମାନେ ଧମକ ଦେଇଛନ୍ତି । ଏନେଇ ଗତ ବୁଧବାର କଲେଜ ଛାତ୍ରୀମାନେ ଜିଲ୍ଲା ଏସପି ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଛନ୍ତି ।
next post