ଭାରତରେ ଏବେ ମୌସୁମୀ ବର୍ଷାରେ ବଡ଼ ଅଭାବ ଦେଖାଦେଇଛି। ଦେଶର କେନ୍ଦ୍ରୀୟ, ପଶ୍ଚିମ ଏବଂ ଉତ୍ତର ଅଞ୍ଚଳରେ ଶୁଷ୍କ ପାଣିପାଗ ଯୋଗୁଁ ମରୁଡ଼ି ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଅଭାବରୁ ଧାନ, ମକା ଏବଂ ଡାଲି ଜାତୀୟ ଫସଲ ଗମ୍ଭୀର ଭାବେ ପ୍ରଭାବିତ ହେଉଥିବା ବେଳେ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ଟ୍ରଫ୍ ନିଜ ସ୍ୱାଭାବିକ ସ୍ଥିତିରୁ ଦୂରେଇ ଯାଇଥିବାରୁ ଆର୍ଦ୍ରତାଯୁକ୍ତ ପବନ ପ୍ରବେଶ କରିପାରୁ ନାହିଁ।
/odishatv/media/media_files/2026/06/19/rain-pix-2026-06-19-17-13-58.jpg)
ତେବେ ଏହି ସଙ୍କଟ ମଧ୍ୟରେ ଏକ ବଡ଼ ସକାରାତ୍ମକ ଖବର ସାମ୍ନାକୁ ଆସିଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ କେତେକ ଉଷ୍ଣକଟିବନ୍ଧୀୟ ପ୍ରଣାଳୀ ବା ନିମ୍ନଚାପ କ୍ଷେତ୍ର ସୃଷ୍ଟି ହେଉଛି। IMD, ECMWF ଏବଂ GFS ଭଳି ପ୍ରମୁଖ ପାଣିପାଗ ମଡେଲଗୁଡ଼ିକର ସୂଚନା ଅନୁଯାୟୀ, ଯଦି ଏହି ପ୍ରଣାଳୀଗୁଡ଼ିକ ପଶ୍ଚିମ ଦିଗକୁ ଗତି କରି ବଙ୍ଗୋପସାଗରରେ ପ୍ରବେଶ କରନ୍ତି, ତେବେ ଜୁଲାଇ ୧୮ରୁ ୨୫ ତାରିଖ ମଧ୍ୟରେ ଦେଶରେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବ। ଏହାଫଳରେ ଶୁଷ୍କ ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଉତ୍ତର-ପଶ୍ଚିମ ଭାରତ ଆଡ଼କୁ ଏକ ପଶ୍ଚିମା ପ୍ରଭାବ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୨-୩ ଦିନ ମଧ୍ୟରେ ପଞ୍ଜାବ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା ଏବଂ ପଶ୍ଚିମ-ଉତ୍ତର ରାଜସ୍ଥାନରେ ଝଡ଼ବର୍ଷା ସହ ତାପମାତ୍ରା ହ୍ରାସ ପାଇବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୌସୁମୀର ଗତିପଥ ଅନିୟମିତ ହେଉଥିବାରୁ ପାଣିପାଗ ବିଜ୍ଞାନୀମାନେ ଏହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଯଦି ପ୍ରଶାନ୍ତ ମହାସାଗରର ଏହି ପ୍ରଣାଳୀ ସଫଳ ହୁଏ, ତେବେ ଚାଷୀକୂଳ ବଡ଼ ଆଶ୍ୱସ୍ତି ପାଇବେ।
