ବାରିପଦା(ମହାଭାରତ): ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା । ଅନେକ ଦିନ ପରେ ଆଜି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ମିଳନର ପର୍ବ ଆରମ୍ଭ ହୋଇଛି । କୋରୋନା କଟକଣାରେ କୋହଳ ହେବା ପରେ ଆଜିଠୁ ରାଜ୍ୟର ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଖୋଲିଛି । ଏଥିସହିତ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ମଠ ଏବଂ ମନ୍ଦିର ମଧ୍ୟ ଖୋଲାଯାଇଛି । ଏନେଇ ଘୋଷଣା ହେବା ପରେ ଜିଲ୍ଲାବାସୀଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ ।
କୋରୋନା ମହାମାରୀର ଦ୍ୱିତୀୟ ଲହରୀ ଏବଂ ଏହାର ସଂକ୍ରମଣ ହାର ଯୋଗୁଁ ଦୀର୍ଘ ମାସ ଧରି ରାଜ୍ୟର ସମସ୍ତ ମଠ ମନ୍ଦିର ବନ୍ଦ ରହିଥିଲା । ତେବେ ରାଜ୍ୟରେ ଏବେ କୋରୋନା ସଂକ୍ରମଣରେ ହ୍ରାସ ପାଇଥିବାରୁ ପ୍ରଶାସନ ତରଫରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ଆଜିଠୁ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଏବଂ ଅଧିଷ୍ଠିତ ଦେବୀ ମା ଅମ୍ବିକାଙ୍କ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲାଯାଇଛି । ପ୍ରଶାସନର ଏହି ନିଷ୍ପତ୍ତି ପରେ ସେବାୟତମାନେ ସରକାରଙ୍କୁ ଧନ୍ୟବାଦ ଦେବା ସହ ଭକ୍ତଙ୍କ ମନରେ ଭାବାବେଗ ସୃଷ୍ଟି ହୋଇଛି । ତେବେ ମନ୍ଦିରକୁ ପ୍ରବେଶ ସମୟରେ କୋରୋନା କଟକଣାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯିବ । ଏଥିସହିତ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧି ଏବଂ ସାନିଟାଇଜ ହେବାକୁ ବାଧ୍ୟତାମୂଳକ କରାଯାଇଛି ।
previous post
next post