(ଭୁବନେଶ୍ୱର) : ରାଜ୍ୟ ସରକାରଙ୍କର ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ଅଭିଯାନ ଆରମ୍ଭ ହୋଇଛି । ଫଳରେ ପ୍ରତି ପଞ୍ଚାୟତ, ପ୍ରତି ଗାଁର ହେବ ଉନ୍ନତି । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ସୂଚନାନୁଯାୟୀ , ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା। ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି। ଏଥିରେ ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ ଟି ପ୍ରକଳ୍ପ କରାଯିବ। ସେହିପରି ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
