ଓଡିଶା

ଅସହାୟଙ୍କ ପାଇଁ ସ୍ୱପ୍ନ ସରକାରୀ ଯୋଜନା: ଭଙ୍ଗା କୁଡିଆରେ ବିତୁଛି ଉର୍ମିଳାଙ୍କ ଜୀବନ

(ଦେବଦତ୍ତ ଦାଶ/କେନ୍ଦ୍ରାପଡା): ଗରିବ ଓ ଅସହାୟଙ୍କ ପାଇଁ ସରକାର ଯୋଜନାମାନ ପ୍ରସ୍ତୁତ କରିଥିବା ବେଳେ ବାସ୍ତବରେ ସେଗୁଡିକ କିଭଳି କାଗଜ କଲମରେ ସୀମିତ ରହିଥାଏ ତାହାର ଏକ ଉଦାହରଣ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକରେ ଦେଖିବାକୁ ମିଳିଛି । ବ୍ଲକ ଅନ୍ତର୍ଗତ ବନ୍ଧକଟା ଗାଁରେ ଏକ ଭଙ୍ଗା କୁଡିଆରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଉର୍ମିଳା । ବର୍ଷା ଟିକେ ହେଲେ ଘରେ ଆଣ୍ଠୁଏ ପାଣିରେ ସମସ୍ତ ଜିନିଷ ଓଦା ହୋଇଯାଏ । ଜରି ପାଲ ଖଣ୍ଡେ କିଣିବାକୁ ବି ସମ୍ବଳ ନାହିଁ । ଏଭଳି ଅବସ୍ଥାରେ ବର୍ଷ ବର୍ଷ ଧରି ଚଳି ଆସୁଛନ୍ତି ଉର୍ମିଳା । ଦୀର୍ଘ ବର୍ଷ ତଳେ ଗ୍ୟାଷ୍ଟ୍ରିକ ରୋଗରେ ପୀଡିତ ହୋଇ ତାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ଘରେ ଗାଈ ପାଳି ଉର୍ମିଳା ବହୁ କଷ୍ଟରେ ଦୁଇ ଝିଅଙ୍କୁ ପାଠ ପଢାଇ ବଡ କରିବା ପରେ ଧାର କରଜ କରି ବାହା ଦେଇଛନ୍ତି । ଏବେ ସେହି ଧାର ଟଙ୍କାକୁ ଶୁଝୁଛନ୍ତି ।
ଦୀର୍ଘ ବର୍ଷ ଧରି ଭଙ୍ଗା କୁଡିଆରେ ଏଭଳି ଅବସ୍ଥାରେ ଜୀବନ କାଟୁଥିବା ଅସହାୟ ଉର୍ମିଳାଙ୍କ ପାଖରେ ସରକାରୀ ଯୋଜନାରେ ଏଯାଏ ଘର ଖଣ୍ଡେ ମିଳିପାରି ନାହିଁ । ବର୍ଷା ଦିନ ଆସିଲେ ତାଙ୍କ କୁଡିଆରେ ପାଣି ପସି ଯେପରି ବନ୍ୟାରେ ବୁଡି ରହିଥିବା ଭଳି ଦେଖାଯାଏ । ମୁଣ୍ଡ ଉପରେ ଛପର ଖଣ୍ଡିଏ ନଥିବାରୁ ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କେବଳ ରାସନ ଦେଇ ସରକାର ତାଙ୍କ ଦାୟିତ୍ୱ ସାରି ଦେଉଛନ୍ତି । କେବଳ ଏତିକି ନୁହେଁ ଉର୍ମିଳା ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରିନଥିବା ଜଣାଯାଏ । ତେବେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଜଣାଇବାରୁ ଏ ସମ୍ପର୍କରେ ବିଡିଓ ଅବଗତ ଅଛନ୍ତି । ଏଣୁ ଉକ୍ତ ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ତେବେ ଅଧିକାରୀମାନଙ୍କ ଠାରେ ବାରମ୍ବାର ଗୁହାରୀ କରିବା ପରେ କୌଣସି ଫଳ ମିଳୁ ନଥିବାରୁ ସ୍ଥିତି ଏଭଳି ରହିଲେ ଆଗାମୀ ଦିନରେ ଉର୍ମିଳା ଜୀବନ ହାରି ଦେବେ ବୋଲି କହିଛନ୍ତି । ତେବେ ତୃଣମୂଳ ସ୍ତରରେ ସରକାରଙ୍କ ପ୍ରସ୍ତୁତ ଯୋଜନାମାନ ପହଞ୍ଚି ପାରୁନଥିବା ବେଳେ ଉର୍ମିଳାଙ୍କୁ ଘର ଖଣ୍ଡେ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Related posts

ସରିଲା ପହଣ୍ଡି,ରଥରେ ବିଜେ କଲେ ତିନି ଠାକୁର

mahabharatanews

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ଯୋଜନାର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

mahabharatanews

ଗାନିବ୍ରହ୍ମ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews