(ଦେବଦତ୍ତ ଦାଶ/କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଓ ଗରଦପୁର ବ୍ଲକରେ ଏବେ ବାଲି ମାଫିଆଙ୍କ ଖୁଲମଖୁଲା ରାଜୁତି ଚାଲିଛି । ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ନଦୀବନ୍ଧ କାଟି କୋଟି କୋଟି ଟଙ୍କାର ହରିଲୁଟ ହେଉଥିବା ସୂଚନା ମିଳିଛି । ମନରେଗାର ବିଭିନ୍ନ କାମ ପାଇଁ ଏବେ ବାଲି ଓ ମାଟିର ଅଭାବ ହେଉଥିବାରୁ ମାଫିଆମାନେ ବେପାର ବୃଦ୍ଧି ପାଇଁ ଏହି ନଦୀବନ୍ଧକୁ ଟାର୍ଗେଟ କରିଛନ୍ତି । ବାଲି ଓ ମାଟି ନେବା ଫଳରେ ନଦୀ ବନ୍ଧ କ୍ରମେ ଦୁର୍ବଳ ହେବାରେ ଲାଗିଛି । ଫଳରେ ବନ୍ୟା ଆସିଲେ ସ୍ଥାନୀୟ ଚାଷ ଜମିରେ ବାଲିଚର ମାଡି ଯିବାର ଭୟ ରହିଛି । ଯାହାକୁ ନେଇ ମାର୍ଶାଘାଇ ଓ ଗରଦପୁର ବ୍ଲକ ଅନ୍ତର୍ଗତ ୧୩ଟି ଗାଁର ଲୋକେ ଏବେ ଭୟରେ ଅନ୍ୟତ୍ର ଚାଲିଯିବାକୁ ଚିନ୍ତା କଲେଣି । ଏହାଛଡା ଏହି ଗାଁ ଗୁଡିକ ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ରହିଥିବାରୁ ନଦୀ ବନ୍ଧ ଭାଙ୍ଗିଲେ ସମସ୍ତ ଗାଁ ମାଟିରେ ମିଶିଯିବାର ଭୟ ମଧ୍ୟ ରହିଛି । ତେବେ ମାଫିଆମାନେ ଅବାଧରେ ଏହି କାରବାର ଚଳାଇଥିବା ବେଳେ ସ୍ଥାନୀୟ ତହସିଲ ଓ ପୋଲିସର ଜାଣତରେ ଏସବୁ ହେଉଥିବା ଶୁଣିବାକୁ ମିଳିଛି । ମାଫିଆଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଅଧିକାରୀମାନେ ଚୁପ ରହୁଥିବା ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ । ଏଥିପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଥିଲେ ।
previous post
